ନୂଆଦିଲ୍ଲୀ: ବାଂଲାଦେଶରେ ଆଗାମୀ ଜାନୁଆରୀ ୭ ତାରିଖକୁ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଥିପାଇଁ ପୂରା ବାଂଲାଦେଶରେ ୧.୮୯ ଲକ୍ଷରୁ ଉର୍ଧ୍ବ ପୋଲିସ କର୍ମୀ ନିୟୋଜିତ ହୋଇଛନ୍ତି । ପୂର୍ବରୁ ବିପକ୍ଷ ଦଳ ବାଂଲାଦେଶ ନେସନାଲ ପାର୍ଟି (ବିଏନପି) ନିର୍ବାଚନକୁ ବହିଷ୍କାର କଥା କହିଥିବା ବେଳେ ଆଗାମୀ ନିର୍ବାଚନକୁ ସ୍ବତନ୍ତ୍ର , ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ରୂପେ କରିବା ପାଇଁ ପୋଲିସ କର୍ମୀ ମାନଙ୍କୁ ମୁତୟନ କରାଯାଇଛି । ଏକ ମିଡିଆ ରିପୋର୍ଟ ଅନୁସାରେ ବର୍ତମାନ ବାଙ୍ଗଲାଦେଶରେ ପୋଲିସ ବଳରେ ସିଭିଲ ଷ୍ଟାଫଙ୍କ ସହିତ ପ୍ରାୟ ୨.୧୩ ଲକ୍ଷ କର୍ମଚାରୀ ଅଛନ୍ତି ।
ବାଙ୍ଗଲାଦେଶ ପୋଲିସ ମୁଖ୍ୟାଳୟର ଉପ ମହାନିରୀକ୍ଷକ (ଅପରେସନ) ଅନୱର ହୁସେନ କହିଛନ୍ତି ଯେ ସମ୍ପୂର୍ଣ୍ଣ ବାଂଲାଦେଶରେ ମୋଟ ୧.୮୯ ଲକ୍ଷ ପୋଲିସ କର୍ମଚାରୀମାନେ ମତଦାନ ଦିନ ମାଜିଷ୍ଟ୍ରେଟ୍ଙ୍କ ସହିତ ନିର୍ବାଚନ ଡ୍ୟୁଟିରେ ରହିବେ । ଏହା ବ୍ୟତୀତ ପୋଲିସ କର୍ମୀମାନେ ବିଭିନ୍ନ ନିର୍ବାଚନ କ୍ଷେତ୍ରରେ ପୋଲିଂ ବୁଥରେ ଅନୁଧ୍ୟାନ କରିବେ । ସେହିପରି ପ୍ରାୟ ୧.୭୪ ଲକ୍ଷ ପେଲିସ କର୍ମୀ ବିନା ଛୁଟିରେ ଡ୍ୟୁଟି କରିବେ , ଯେବେ ଅନ୍ୟ ପୋଲିସ କର୍ମୀ ମାନେ ନିୟମିତ ଭାବେ କାମରେ ରହିବେ ।
ଏହା ମଧ୍ୟ ପଢନ୍ତୁ ... ଇମ୍ରାନଙ୍କୁ ପୁଣି ଝଟକା; ନାମାଙ୍କନ ପତ୍ର ଖାରଜ କଲେ ନିର୍ବାଚନ ଆୟୋଗ
ବାଂଲାଦେଶର ପ୍ରମୁଖ ବିପକ୍ଷ ପାର୍ଟି ବାଂଲାଦେଶ ନେସନାଲ ପାର୍ଟି ଦ୍ବାରା ନିର୍ବାଚନ ବହିଷ୍କାର ଯୋଗୁଁ ଦେଶବ୍ୟାପୀ ହଡତାଳ , ଗମନା ଗମନରେ ରୋକର ଆହ୍ବାନ ଦିଆଯାଇଥିଲା । ବିଏନ୍ପି ମୁତାବକ, ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଯୋଗୁଁ କେବେ ବି ଦେଶ ରେ ନିରପେକ୍ଷ ନିର୍ବାଚନ ହୋଇ ପାରିବ ନାହିଁ । ଗତ ୨ ମାସରେ ରାଜନୈତିକ ହିଂସାରେ ୧୧ ଜଣ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୩୮୬ ଟି ବାହନ ଜଳାପୋଡା ହୋଇଛି । ଏପରି ରାଜନୈତିକ ହିଂସାରେ ପୋଲିସ ତରଫରୁ ଅନେକ ବିପକ୍ଷ କାର୍ଯ୍ୟକର୍ତ୍ତା ଏବଂ ନେତାଙ୍କୁ ଗିରଫ କରାଯାଇଛି , ଯେଉଁଥିରେ ବିଏନପିର ମହାସଚିବ ମିର୍ଜା ଫଖରୁଲ ଇସଲାମ ଆଲମଗୀର ମଧ୍ୟ ସାମିଲ ଅଛନ୍ତି । ସୂଚନାଯୋଗ୍ୟ ଯେ ବିଏନପି ୨୦୧୪ର ନିର୍ବାଚନକୁ ବହିଷ୍କାର କରିଥିଲା । କିନ୍ତୁ ୨୦୧୮ ରେ ସାଧାରଣ ନିର୍ବାଚନରେ ଭାଗ ନେଇଥିଲା । ଶୁକ୍ରବାର ଦିନ ବାଙ୍ଗଲାଦେଶରେ ଅର୍ଧ ସାମରିକ ସୀମା ରକ୍ଷକ ର ୧୧୫୧ ପ୍ଲାଟୁନ ମୁତୟନ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ