କାଇରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ପରେ ଆସନ୍ତାକାଲି (ଶନିବାର)ଠୁ ମିଶର ବା ଇଜିପ୍ଟ ଗସ୍ତରେ ଯିବେ । ଏହି ଗସ୍ତ ସମୟରେ ମୋଦି ୧୧ଶ ଶତାବ୍ଦୀର ଅଲ-ହକିମ ମସଜିଦ ପରିଦର୍ଶନ କରିବେ । 2 ଦିନିଆ ଇଜିପ୍ଟ ଗସ୍ତର ଶେଷ ଦିନର ପ୍ରଥମ ଇଭେଣ୍ଟରେ ଏହି ମସଜିଦରେ ଅଧା ଘଣ୍ଟା ସମୟ ବିତାଇବେ ପ୍ରଧାନମନ୍ତ୍ରୀ ମୋଦି । ଇଜିପ୍ଟର ରାଜଧାନୀ କାଇରୋରେ ମଧ୍ୟ ଆୟୋଜିତ ଏକ ଇଭେଣ୍ଟରେ ମୋଦି ଯୋଗଦେବେ । ମିଶର ରାଷ୍ଟ୍ରପତି ଅବଦେଲ ଫତହ ଅଲ-ସିସିଙ୍କ ନିମନ୍ତ୍ରଣରେ ମୋଦି ଇଜିପ୍ଟ ଗସ୍ତ କରିବାକୁ ଯାଉଛନ୍ତି ।
ଅଲ-ହକିମ ମସଜିଦର ଇତିହାସ:- ରାଜଧାନୀ କାଇରୋର ଫାହିରା ସ୍ଥିତ ଐତିହାସିକ ଓ ପ୍ରମୁଖ ମସଜିଦର ନାମ ୧୬ଶ ଶତାବ୍ଦୀର ୬ଷ୍ଠ ଫାତିମିଦ ଖଲିଫା (୯୮୫-୧୦୨୧)ଙ୍କ ନାମ ଅନୁସାରେ ଏହାର ନାମ ରଖାଯାଇଛି । ଏହି ଐତିହାସିକ ମସଜିଦର ନିର୍ମାଣ ପ୍ରଥମେ ଅଲ-ହକିମଙ୍କ ପିତା ଖଲିଫା ଅଲଃଅଜିଜ ବିଲ୍ଲାହଙ୍କ ଦ୍ବାରା ଦଶମ ଶତାବ୍ଦୀରେ ଆରମ୍ଭ ହୋଇଥିଲା । ଏହାପରେ ୧୦୧୩ରେ ଅଲ-ହକିମ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ । ଅଲ-ହକିମ ମସଜିଦ କାଇରୋ ସହରର କେନ୍ଦ୍ରସ୍ଥଳରେ ରହିଥିବା ବେଳେ ଏହାକୁ ଦ୍ବିତୀୟ ସର୍ବବୃହତ ଓ ସବୁଠୁ ପୁରାତନ ମସଜିଦ କୁହାଯାଏ । ଫାତିମିଦ ବାସ୍ତୁକଳା କାରିଗରିର ଝଲକ ଏହି ମସଜିଦରେ ଦେଖିବାକୁ ମିଳେ । ଏହା ସାମ୍ନାରେ ଥିବା ଏକ ପୁଟିକ ମସଜିଦର ଶୋଭାକୁ ଦ୍ବିଗୁଣିତ କରେ । ଏହି ମସଜିଦରେ ୪ଟି ବଡ଼ ହଲ୍ ରହିଥିବା ବେଳେ ଏଠାରେ ନମାଜ ପାଠ କରାଯାଏ । ଏହା ପ୍ରାୟ ୧୩ ହଜାର ୫୬୦ ବର୍ଗ ମିଟରରେ ଅବସ୍ଥିତ ।
ଏହା ବି ପଢନ୍ତୁ- US କଂଗ୍ରେସକୁ ମୋଦିଙ୍କ ସମ୍ବୋଧନ, କହିଲେ ମାନବିକତାର ଶତ୍ରୁ ଆତଙ୍କବାଦ
ଭାରତୀୟ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ମୋଦି:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଅଲ-ସିସିଙ୍କୁ ଭେଟିବା ପୂର୍ବରୁ ସେଠାକାର ସରକାରଙ୍କ ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବେ । ମିଶର ରାଷ୍ଟ୍ରପତି ଭାରତ ସହିତ ସମ୍ପର୍କକୁ ସୁଦୃଢ କରିବା ଲାଗି ବରିଷ୍ଠ ମନ୍ତ୍ରୀମାନଙ୍କୁ ନେଇ ଏକ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି । ଏମାନଙ୍କ ସହିତ ଆଲୋଚନା କରିବେ ମୋଦି । ଏହାସହିତ ହେଲିୟାପୋଲିସ ଶହୀଦ ସ୍ମାରକ ମଧ୍ୟ ଯିବେ । ସେଠାରେ ପ୍ରଥମ ବିଶ୍ବଯୁଦ୍ଧରେ ଶହୀଦ ହୋଇଥିବା ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ଏ ନେଇ ଭାରତର ବୈଦେଶିକ ସଚିବ ବିନୟ ମୋହନ କ୍ବାତ୍ରା କହିଛନ୍ତି, " ଏହା ଇଜିପ୍ଟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହେବାକୁ ଯାଉଛି । ୧୯୯୭ ପରେ ଭାରତ ଓ ଇଜିପ୍ଟ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ନେଇ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହେବାକୁ ଯାଉଛି ।"