ଇସଲାମବାଦ: ଆସନ୍ତା ବର୍ଷ ଫେବୃଆରୀ ୮ ତାରିଖରେ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ଜେଲରେ ବନ୍ଦୀ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜନୈତିକ ଦଳ ପିଟିଆଇର ପ୍ରମୁଖ ଇମ୍ରାନ ଖାନଙ୍କୁ ଆଜି (ଶନିବାର) ଏକ ଝଟକା ଲାଗିଛି । ନିର୍ବାଚନ ଲଢିବା ପାଇଁ ସେ ଭରିଥିବା ନାମାନଙ୍କ ପତ୍ରକୁ ଆଜି ପାକିସ୍ତାନୀ ନିର୍ବାଚନ ଆୟୋଗ ଖାରଜ କରିଛନ୍ତି । ଇମ୍ରାନ ୨ଟି ଆସନରୁ ନିର୍ବାଚନ ଲଢିବା ଲାଗି ନାମାଙ୍କନ ଭରିଥିବା ବେଳେ ଦୁଇଟି ଯାକ ପତ୍ରକୁ ଖାରଜ କରିଦେଇଛନ୍ତି ଆୟୋଗ ।
୭୧ ବର୍ଷୀୟ ପୂର୍ବତନ କ୍ରିକେଟର ଷ୍ଟାର ଗତବର୍ଷ ୨୦୨୨ ଏପ୍ରିଲରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଯାଇଥିଲା । ଏହାପରେ ସେ ଲଗାତାର ଭାବେ ଆଇନଗତ ଲଢେଇ ଜାରି ରଖିଛନ୍ତି । ଏହାସହିତ ତାଙ୍କ ରାଜନୈତିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ୨୦୧୮ରୁ ୨୦୨୨ ମଧ୍ୟରେ ଇମ୍ରାନଙ୍କୁ ମିଳିଥିବା ଉପହାରଗୁଡିକୁ ଅବୈଧ ରୂପରେ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରିଥିବା ଅଭିଯୋଗରେ ଅଗଷ୍ଟରେ ତାଙ୍କୁ ୩ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ଜେଲ ଯିବା ପରେ ତାଙ୍କୁ ସାର୍ବଜନୀନ ସ୍ଥାନରେ ଦେଖିବାକୁ ମିଳିନାହିଁ ।
ଏହା ବି ପଢନ୍ତୁ- ଜାଣିଥିଲେ ଗିରଫ ହେବେ, ଗିରଫଦାରୀ ପୂର୍ବରୁ କ‘ଣ କହିଥିଲେ ଇମ୍ରାନ
ସେ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବାରୁ ଆସନ୍ତା ନିର୍ବାଚନରେ ଲଢି ପାରିବେ ନାହିଁ ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଥିଲେ । ତାଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ମଧ୍ୟ ଗତକାଲି ସେ ୨ଟି ଆସନରୁ ନାମାଙ୍କନ ଭରିଥିଲେ । ଏହି ନାମାଙ୍କନ ପତ୍ର ଖାରଜ କରିବା ସମୟରେ ଆୟୋଗ ପକ୍ଷରୁ କୁହାଯାଇଛି ଯେ ଇମ୍ରାନ କୋର୍ଟରେ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏଥିଲାଗି ସେ ନିର୍ବାଚନ ଲଢିବା ଲାଗି ଅଯୋଗ୍ୟ । ଏଣୁ ଇମ୍ରାନ ନିଜ ଗୃହ ନଗର ମିୟାଁବାଲିରୁ ନିର୍ବାଚନ ଲଢିବା ଲାଗି ଦାଖଲ କରିଥିବା ନାମାଙ୍କନ ପତ୍ରକୁ ଖାରଜ କରାଯାଇଛି ।
ଏହା ବି ପଢନ୍ତୁ- ଇମ୍ରାନ ଖାନଙ୍କୁ କେମିତି ଉଠାଇନେଲା ପୋଲିସ, ଦେଖନ୍ତୁ ଭିଡିଓ
ସେପଟେ ଇମ୍ରାନଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ପାକିସ୍ତାନ ସେନା ପକ୍ଷରୁ ଟାର୍ଗେଟ କରାଯାଉଛି । ଯାହାଦ୍ବାରା ସେ ନିର୍ବାଚନ ଲଢିପାରିବେ ନାହିଁ । ହେଲେ ଇମ୍ରାନଙ୍କ ଏପରି ଅଭିଯୋଗକୁ ପାକ୍ ସେନା ପକ୍ଷରୁ ଖଣ୍ଡନ କରାଯାଇଛି । ଅନ୍ୟପଟେ ଗତ ଶୁକ୍ରବାର ପାକିସ୍ତାନ ସୁପ୍ରିମକୋର୍ଟ ଏକ ମାମଲାରେ ଇମ୍ରାନ ଖାନଙ୍କୁ ଜାମିନ ପ୍ରଦାନ କରିଥିଲେ । ଏହାପରେ ସେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆୟୋଗ ଏହାକୁ ଖାରଜ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ