ଇସଲାମବାଦ: ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଗ୍ୟ ପରୀକ୍ଷା । ଗାଦି ରହିବ ନା ହାତରୁ ଖସିଯିବ ଆଜି ତାହାର ନିର୍ଦ୍ଧାରଣ ହେବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଇମ୍ରାନଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ସଂସଦରେ ମତଦାନ ହେବ । ଇମ୍ରାନ ଖାନ ଅନାସ୍ଥା ପ୍ରସ୍ତାବ ଭୋଟିଂରେ ପରାଜିତ ହେଲେ ବିରୋଧି ଦେଶରେ ସରକାର ଗଠନ କରିବେ । ଏପରିକି ସଂସଦ ଭଙ୍ଗ କରିବା ଓ ଅନାସ୍ଥା ପ୍ରସ୍ତାବକୁ ଖାରଜ କରାଇବାର ଷଡଯନ୍ତ୍ର କରିବା ମାମଲାରେ ତାଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା ମଧ୍ୟ ଚାଲିପାରେ । ସକାଳ ୧୧ଟାରେ ସଂସଦ କାର୍ଯ୍ୟ ଆରମ୍ଭ ହେବ । ତେବେ ପାକିସ୍ତାନ ରାଜନୀତିରେ ଘଟିକେ ଘୋଡା ଛୁଟିଥିବା ବେଳେ ଆଗକୁ ରାଜନୈତିକ ସ୍ଥିତି କ'ଣ ହେବ ତାହା ଆଜି ଚୂଡାନ୍ତ ହେବ ।
ଇମ୍ରାନଙ୍କ ପଦରୁ ହଟାଇବା ପାଇଁ ବିରୋଧି ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ପୂର୍ବରୁ ଏପ୍ରିଲ ୩ ତାରିଖରେ ଏହି ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ ଥିଲା । ହେଲେ ଏହାକୁ ବିଦେଶୀ ରାଷ୍ଟ୍ରର ଷଡଯନ୍ତ୍ର ଦର୍ଶାଇ ଉପବାଚସ୍ପତି କାସୀମ ସୁରୀ ପ୍ରସ୍ତାବ ଖାରଜ କରିଦେଇଥିଲେ । ଯାହାକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଥିଲେ ବିରୋଧୀ । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଉପବାଚସ୍ପତିଙ୍କ ଅନାସ୍ଥା ପ୍ରସ୍ତାବ ଖାରଜ ନିଷ୍ପତ୍ତିକୁ ଅସାମ୍ବିଧାନିକ କହିଥିଲେ । ପ୍ରଧାନମନ୍ତ୍ରୀ ସମ୍ବିଧାନିକ ବ୍ୟବସ୍ଥାର ଅଧୀନ । ତେଣୁ ସେ ସଂସଦ ଭଙ୍ଗ କରିବା ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ ଦେଇପାରିବେ ନାହିଁ । ଅନାସ୍ଥା ଭୋଟିଂ ଖାରଜ ହେବା ସହ ସଂସଦ ଭଙ୍ଗ ହେବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଦର୍ଶାଇ ପୁଣି ଏପ୍ରିଲ ୯ ତାରିଖରେ ପ୍ରସ୍ତାବ ଉପରେ ଭୋଟିଂ କରିବାକୁ ରାୟ ଶୁଣାଥିଲେ ସୁପ୍ରିମକୋର୍ଟ ।