ହାଇଦ୍ରାବାଦ: ଛାତିରେ ଯନ୍ତ୍ରଣା ଅନୁଭବ ହେବା ପରେ ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ନେପାଳ ରାଷ୍ଟ୍ରପତି ରମଚନ୍ଦ୍ର ପୌଡେଲ । କିଛି ଦିନ ପୂର୍ବରୁ ସେ ଚିକିତ୍ସିତ ହୋଇ ଫେରିଥିଲେ । ଆଜି ପୂର୍ବାହ୍ନରେ ପୁଣି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ରାଜଧାନୀ କାଠମାଣ୍ଡୁର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ଏକ ସ୍ବତନ୍ତ୍ର ଡାକ୍ତୀର ଦଳ ଚିକିତ୍ସା କରୁଛନ୍ତି ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ମଧ୍ୟ ସୂଚନା ମିଳିଛି ।
ରାଷ୍ଟ୍ରପତି ଭବନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, 78 ବର୍ଷୀୟ ପୌଡେଲଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବା ପରେ ତାଙ୍କୁ ଶହୀଦ ଗଙ୍ଗାଲାଲ ନ୍ୟାସନାଲ ହାର୍ଟ ସେଣ୍ଟରରେ ଭର୍ତ୍ତି କରାଯାଇଛି । ସେଠାରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କର ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରୁଛନ୍ତି । ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ଏକ ବିବୃତ୍ତି ଜାରି କରି ସୂଚନା ଦେଇଛନ୍ତି । ରାଷ୍ଟ୍ରପତିଙ୍କୁ VIP 6 ନମ୍ବର କ୍ୟାବିନର 254 ବେଡରେ ରଖାଯାଇଛି । ତାଙ୍କର ବିଭିନ୍ନ ଚେକିଂ ଜାରି ରହିଛି । ଏକାଧିକ ହୃଦରୋଗ ବିଶେଷଜ୍ଞଙ୍କୁ ନେଇ ଏକ ଡକ୍ତରୀ ଟିମ ମଧ୍ୟ ଗଠନ କରାଯାଇଛି । ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ଏକାଧିକ ପରୀକ୍ଷା ନିରୀକ୍ଷା ଜାରି ରହିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଏହା ପୂର୍ବରୁ ନେପାଳ ରାଷ୍ଟ୍ରପତି ପୌଡେଲ ଚିକିତ୍ସା ପାଇଁ ଭାରତ ଆସିଥିଲେ । ଏପ୍ରିଲ ମାସ ପ୍ରଥମ ଭାଗରେ ମଧ୍ୟ ସେ ଅସୁସ୍ଥ ହୋଇପଡିବା କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେ ସେତେବେଳେ କାଠମାଣ୍ଡୁର ତ୍ରିଭୂବନ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଓ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ରେଫର ହୋଇଥିଲେ । ଏପ୍ରିଲ 5 ତାରିଖରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହାବାର 4 ଦିନ ପରେ ତାଙ୍କୁ ଡିସଚାର୍ସ କରଯାଇଥିଲା । ଏମ୍ସରେ ତାଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଚଳିତବର୍ଷ ମାର୍ଚ୍ଚ 13 ତାରିଖରେ ନେପାଳର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଦାୟିତ୍ବ ଗ୍ରହଣ କରିଥିଲେ ରାମଚନ୍ଦ୍ର ପୌଡେଲ । ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବାର ମାତ୍ର କିଛି ମାସ ମଧ୍ୟରେ ତାଙ୍କର କ୍ରାମଗତ ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ୟା ଦେଖାଯିବାରେ ଲାଗିଛି । କିଛି ଦିନ ପୂର୍ବରୁ ସୁସ୍ଥ ହୋଇଥିବା ରାଷ୍ଟ୍ରପତି ପୌଡେଲ ଏବେ ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ