ୱାଶିଂଟନ: ଆମେରିକାରେ ଜଣେ ୩୫ ବର୍ଷୀୟ ଯୁବକଙ୍କୁ ୧୦୦ବର୍ଷ ଜେଲ ଦଣ୍ଡାଦେଶ । ୫ବର୍ଷର ମୂଳ ଭାରତୀୟ ଶିଶୁକନ୍ୟାକୁ ହତ୍ୟା କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଯୁବକଙ୍କୁ ଏହି ଦଣ୍ଡ ମିଳିଛି । ଶିଶୁକନ୍ୟା ଶରୀରରେ ଭୁଲବଶତଃ ଗୁଳି ବାଜିଥିବା ବେଳେ ତା'ର ଅକାଳରେ ପ୍ରାଣ ହାନି ଘଟିଥିଲା । ଯୁବକ ଜଣକ ଅନ୍ୟ ଜଣଙ୍କୁ ଗୁଳି କରି ହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ଏହା ଶିଶୁକନ୍ୟା ମୁଣ୍ଡରେ ବାଜିଥିଲା ।
ହତ୍ୟାକାରୀର ନାମ ଜୋସେଫ ଲି ସ୍ମିଥ ହୋଇଥିବା ବେଳେ ମୃତ୍ୟୁବରଣ କରିଥିବା ୫ବର୍ଷ ଶିଶୁକନ୍ୟାର ନାମ ହେଉଛି ମାୟା ପଟେଲ । ମିଳିଥିବା ସୂଚନା ଅନୁସାରେ ମାୟା ହୋଟେଲ ରୁମରେ ଖେଳୁଥିବା ସମୟରେ ତା ମୁଣ୍ଡରେ ଗୁଳି ବାଜିଥିଲା । ଏହାପରେ ଶିଶୁକନ୍ୟାକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ତାକୁ ବଞ୍ଚାଇବାରେ ଡାକ୍ତର ଅକ୍ଷମ ରହିଥିଲେ । ଫଳରେ ତାକୁ ମୃତ ଘୋଷିତ କରାଯାଇଥିଲା । ୨୦୨୧ ମାର୍ଚ୍ଚ ୨୩ ତାରିଖରେ ଘଟିଥିଲା ଏହି ଘଟଣା । କୋର୍ଟରେ ଏହା ଜଣାପଡ଼ିଛି ଯେ ହତ୍ୟାକାରୀ ସ୍ମିଥ ଉଦ୍ଦେଶ୍ୟମୂଳକ ଭାବେ କୁନି ଶିଶୁ ଗୁଳି କରୁନଥିଲା ।
ଏହା ବି ପଢନ୍ତୁ-ବିଦେଶରେ ଖଲିସ୍ତାନୀ ସମର୍ଥକଙ୍କ ଦାଦାଗିରି, ଭାରତୀୟ ଦୂତାବାସ ଉପରେ କଲେ ଆକ୍ରମଣ
ସ୍ମିଥର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ବିବାଦ ରହିଥିଲା । ସେ ତାଙ୍କୁ ଗୁଳି କରୁଥିବା ବେଳେ ଏହା ଲକ୍ଷଚ୍ୟୁତ ହୋଇ ମାୟା ଦେହରେ ବାଜିଥିଲା । ମାୟାର ପିତାମାତା ବିମଲ ଓ ସ୍ନେହା ପଟେଲ ଶ୍ରିଭପୋର୍ଟଠାରେ ଏକ ହୋଟେଲ ପରିଚାଳନା କରୁଥିବା ବେଳେ ଉକ୍ତ ହୋଟେଲର ଗ୍ରାଉଣ୍ଡ ଫ୍ଲୋରରେ ସେମାନେ ରହୁଥିଲେ । ଆଉ ସ୍ମିତ ପାର୍କିଂ ସ୍ଥାନରେ ବିବାଦ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ଉପରକୁ 9mm ହ୍ୟାଣ୍ଡଗନରୁ ଗୁଳି ଚଳାଉଥିଲା । ଯାହାକି ଲକ୍ଷଚ୍ୟୁତ ହୋଇ ମାୟା ମୁଣ୍ଡରେ ବାଜିଥିଲା ।
ଏହି ମାମଲାରେ ଜିଲ୍ଲା ଜଜ୍ ଜନ ଡି ମୋସଲି ସ୍ମିଥ (୬୦)କୁ ୧୦୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହିତ ସ୍ମିଥକୁ ପାରୋଲ ସୁବିଧା ମଧ୍ୟ ଦିଆଯିବ ନାହିଁ ବୋଲି ଜଜ୍ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୨୦୨୧ ମସିହାରେ ମାୟା ପଟେଲଙ୍କ ହତ୍ୟା ଘଟଣାରେ ଜିଲ୍ଲା ଜଜ୍ ଜନ ଡି ମୋସଲି ସ୍ମିଥ୍ଙ୍କୁ ୬୦ ବର୍ଷ କଠିନ ଦଣ୍ଡାଦେଶ ଦେବା ସହ ନ୍ୟାୟକୁ ବାଧା ଦେବା ଲାଗି ୨୦ ବର୍ଷ ଏବଂ ଆଗ୍ରିଭେଟେଡ ବ୍ୟାଟେରୀ ପାଇଁ ୨୦ ବର୍ଷ ଅଧିକ ଜେଲ ଦଣ୍ଡ ମିଳିଛି । ଆଇନ ଭାଷାରେ ଆଗ୍ରିଭେଟେଡ ବ୍ୟାଟେରୀର ଅର୍ଥ ହେଉଛି ବିନା ଉଦ୍ଦେଶ୍ୟରେ କୌଣସି ବ୍ୟକ୍ତିଙ୍କୁ ଗୁରୁତର ଭାବେ ଆହତ କରିବା । ଏଠାରେ ବିନା କାରଣରେ ଶିଶୁକନ୍ୟାର ଜୀବନ ଯାଇଥିବାରୁ ସ୍ମିଥଙ୍କୁ ୨୦ ବର୍ଷ ଅଧିକ ଜେଲ ଦଣ୍ଡ ମିଳିଛି ।