ଜାକର୍ତ୍ତା: ଇଣ୍ଡୋନେସିଆରେ ଜଣେ ମହିଳାଙ୍କୁ ଏକ ଅଜଗର ଗିଳି ଦେଇଥିବା ପରି ଆଶ୍ଚର୍ଯ୍ୟଚକିତ ଘଟଣା ସାମ୍ନାକୁ ଆସିଛି । ଜଣେ 54 ବର୍ଷୀୟା ମହିଳାଙ୍କୁ ଏକ 22 ଫୁଟର ଏକ ଅଜଗର ଗିଳି ଦେଇଛି । ମହିଳାଜଣଙ୍କ ଗତ କିଛି ଦିନ ହେବ ନିଖୋଜ ଥିଲେ । ତେବେ ତାଙ୍କୁ ଠାବ କରିବା ପାଇଁ ପ୍ରୟାସ ଜାରି ରହିଥିବା ବେଳେ ତାଙ୍କୁ ଏକ ଅଜଗର ଗିଳି ଦେଇଥିବା ସ୍ପଷ୍ଟ ହୋଇଛି । ଏହି ବିଶାଳ ସାପଟି ଘର ନିକଟରେ ଠାବ ହେବା ପରେ ସ୍ଥାନୀୟ ଲୋକେ ଅଜଗରଟିକୁ ମାରି ଦେଇଥିଲେ । ପରେ ସାପ ପେଟରୁ ମହିଳାଙ୍କ ଗଳିତ ମୃତଦେହକୁ ଉଦ୍ଧାର କରିଛନ୍ତି ।
ସ୍ଥାନୀୟ ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ, ମୃତ ମହିଳାଙ୍କ ନାମ ଜାହାର (Jahrah) । ସେ ରବର ଖେତକୁ ଯାଇ ଆଉ ଫେରି ନଥିଲେ । ସମ୍ପର୍କୀୟ ଓ ସ୍ବାମୀ ଏନେଇ ସ୍ଥାନୀୟ ଥାନାରେ ଏକ ନିଖୋଜ ଏତଲା ମଧ୍ୟ ଦାଏର କରିଥିଲେ । ପୋଲିସ ଓ ପରିବାର ସଦସ୍ୟ ମଧ୍ୟ ଖୋଜାଖୋଜି ଜାରି ରଖିଥିଲେ । ମହିଳା ବ୍ୟବହାର କରୁଥିବା ଚପଲ, ଜ୍ୟାକେଟ, ରବର ତୋଳିବା ପାଇଁ ବ୍ୟବହୃତ ଛୁରୀ ଓ ଅନ୍ୟ କିଛି ବ୍ୟବହାର ସାମଗ୍ରୀ ଠାବ ହୋଇଥିଲେ ସୁଦ୍ଧା ମହିଳାଙ୍କ ସମ୍ପର୍କରେ କିଛି ସୁରାକ ମିଳିପାରି ନଥିଲା ।
ତେବେ ପରଦିନ ଏକ ବିଶାଳ ଅଜଗର ତାଙ୍କ ଘର ନିକଟରେ ଦେଖାଯିବା ପରେ, ସାପଟି ତାଙ୍କୁ ଗିଳି ଦେଇଥିବା ଜଣା ପଡିଥିଲା । ତେବେ ଏହି ବିଶାଳ ଅଜଗରର ସାପଟିର ଲମ୍ବ ପ୍ରାୟ 22 ଫୁଟରୁ ଅଧିକ । ମହିଳାଙ୍କ ମୃତଦେହ ଉଦ୍ଧାର ହେବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ମହିଳାଙ୍କୁ ସମ୍ପୂର୍ଣ୍ଣ ଗିଳିବା ପାଇଁ ଅଜଗରଟି ପ୍ରାୟ 2 ଘଣ୍ଟାରୁ ଅଧିକ ସମୟ ନେଇଥିବାର ଅନୁମାନ କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ