ଦମାସକସ(ସିରିୟା): ଉତ୍ତର ପୂର୍ବ ସିରିୟାରେ କୋରୋନା ସ୍ଥିତି ସଙ୍କଟଜନକ ପାଲଟିଛି । ଏଠାରେ ଶହ ଶହ ଲୋକ କୋରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ଖାଦ୍ୟପେୟଠାରୁ ପାନୀୟ ଜଳର ଅବ୍ୟବସ୍ଥା ଯୋଗୁଁ ଲୋକେ ସମସ୍ୟା ଭୋଗିଛନ୍ତି । ଅନ୍ତର୍ଜାତୀୟ ରେଡକ୍ରସ କମିଟି ପକ୍ଷରୁ ଏନେଇ ସତର୍କବାଣୀ ଦିଆଯାଇଛି ।
ଲଗାତାର ଯୁଦ୍ଧ ଯୋଗୁଁ ଏହି ଅଞ୍ଚଳରେ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ହୋଇନାହିଁ । ସେମାନେ ଏବେ ବି ଖାଦ୍ୟ, ପାନୀୟର ସମସ୍ୟାକୁ ପ୍ରତିଦିନ ସାମନା କରୁଛନ୍ତି । ସେହିପରି ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଯୋଗୁଁ ଅନେକ ଲୋକ ବିଭିନ୍ନ ରୋଗର ଶିକାର ହୋଇଛନ୍ତି । ଏହା ମଧ୍ୟରେ କୋରୋନା ଆକ୍ରାନ୍ତ ମଧ୍ୟ ରହିଛନ୍ତି । ଏପରି ପରିସ୍ଥିତି ଲାଗି ରହିଲେ ଏଠାରେ ହଜାର ହଜାର ଲୋକ କୋରୋନା ଶିକାର ହେବାର ସମ୍ଭାବନା ରହିଛି ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି ।
ଏବେ ସୁଦ୍ଧା ଏହି ଅଞ୍ଚଳରେ କେବଳ 6 ଜଣ ଆକ୍ରାନ୍ତ ହେବା ସହ ଜଣେ ଏହି ମହାମାରୀରେ ପ୍ରାଣ ହରାଇଛି । ହେଲେ ମେଡିସିନର ଅଭାବ ସହ ଖାଦ୍ୟପେୟର ଅଭାବ ଏମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଏହାସହ ବେରୋଜଗାରୀ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢାଇଛି । ଉତ୍ତର ପୂର୍ବ ସିରିୟାରେ ଅଧିକ ଲୋକ ଆଇଏସ ଆତଙ୍କବାଦୀ ପରିବାର ଅଟନ୍ତି । ସେଥିପାଇଁ ଏଠାରେ କୌଣସି ପ୍ରକାର ସହାୟତା ମିଳିବାରେ ବିଳମ୍ବ ହୁଏ । ଏପରିକି ଅନେକ ଦେଶ ଅନ୍ତର୍ଜାତୀୟ କମିଟି ଉପରେ ଚାପ ପକାଇ ଏଠାକୁ ଆସୁଥିବା ଫଣ୍ଡିଂ ବନ୍ଦ କରିଦିଅନ୍ତି । ଫଳରେ ଏହି ଲୋକମାନେ ଅଧିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।