ୟମନ: ଦକ୍ଷିଣ ୟମନ ଅଦାନ ସହର ସ୍ଥିତ ବିମାନ ବନ୍ଦରରେ ଭୟଙ୍କର ବିସ୍ଫୋରଣ । ଏଥିରେ ପ୍ରାୟ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 12ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ୟମନରେ ନବଗଠିତ କ୍ୟାବିନେଟର ପ୍ରଥମ ବୈଠକ ପର୍ବରୁ ଏହି ବିସ୍ଫୋରଣ ହୋଇଛି । କ୍ୟାବିନେଟ ସଦସ୍ୟଙ୍କୁ ନେଇ ଆସିଥିବା ବିମାନ ଲ୍ୟାଣ୍ଡ କରିବା ବେଳେ ଏହି ବିସ୍ଫୋରଣ ହୋଇଥିବା ସୂରକ୍ଷା ଏଜେନ୍ସି ପକ୍ଷରୁ ସୂଚନା ମିଳିଛି । ବିମାନର କ୍ଷୟକ୍ଷତି ସମ୍ପର୍କରେ ସଠିକ ତଥ୍ୟ ମିଳିପାରିନାହିଁ । ବିସ୍ଫୋରଣ କିପରି ହେଲା ତାହା ବିଷୟରେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ଘଟଣା ସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି ।
ଆକ୍ରମଣ ପାଇଁ କେହି ବିଚ୍ଛିନ୍ନତାବାଦୀ ସଂଗଠନ କିମ୍ବା ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ପ୍ରାଥମିକ ତଦନ୍ତ ଅନୁସାରେ ଏହା ନବଗଠିତ କ୍ୟାବିନେଟ ସଦସ୍ୟଙ୍କୁ ଟାର୍ଗେଟ କରାଯାଇଥିବା ସନ୍ଦେହ କରାଯାଉଛି । ୟମନରେ ସକ୍ରିୟ ଥିବା ବିଚ୍ଛିନତାବାଦୀ ଗୋଷ୍ଠୀଙ୍କ ଦ୍ବାରା ଏହି ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି । ଏହି ଆକ୍ରମଣ ମୃତହାତଙ୍କ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ଘଟଣାସ୍ଥଳରେ ହାଇ ଆଲର୍ଟ ଜାରି କରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ୟମନ ସେନା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ