ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ବିତ୍ପାତ୍ତ ସୃଷ୍ଟି କରିଛି କୋରୋନା ସଂକ୍ରମଣ । ଯେଉଁଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଭିକ୍ଟୋରିଆ ରାଜ୍ୟ । ଭିକ୍ଟୋରିଆରେ କୋରୋନା ସ୍ଥିତି ଏତେ ସଙ୍ଗୀନ ହୋଇ ପଡିଛି କି ରବିବାର ରାଜ୍ୟ ବିପର୍ଯ୍ୟୟ ସ୍ଥିତିରେ ପ୍ରବେଶ କରିଛି । ଅନ୍ୟପଟେ ରାଜଧାନୀ ମେଲବୋର୍ଣ୍ଣରେ ଚତୁର୍ଥ ପର୍ଯ୍ୟାୟ କଟକଣା ଲାଗୁ ହୋଇଥିବା ମଧ୍ୟ ସ୍ପଷ୍ଟ ହୋଇଛି । ଏହି ସମୟରେ ମେଲବୋର୍ଣ୍ଣରେ କଟକଣାକୁ ଅଧିକ କଡାକଡି କରାଯିବା ନେଇ ଜଣା ପଡିଛି ।
ଏନେଇ ଭିକ୍ଟୋରିଆନ ପ୍ରିମିୟର ଡାନିଏଲ ଆଣ୍ଡ୍ରିୟୁ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ତେବେ ରାଜ୍ୟରେ ଏହି କଟକଣା ସବୁ ସର୍ବନିମ୍ନ 6 ସପ୍ତାହ ଅର୍ଥାତ୍ ସେପ୍ଟେମ୍ବର 13 ଯାଏଁ ବଳବତ୍ତର ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ସେ ସୂଚନା ଦେଇ କହିଛନ୍ତି କି ରାଜ୍ୟରେ ବର୍ତ୍ତମାନ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି । ଏହା ଏତେ ମାତ୍ରାରେ ବଢି ଯାଇଛି କି ଘରକୁ ଘର ବୁଲି ଏହାକୁ ସନ୍ଧାନ କରାୟାଇପାରୁ ନାହିଁ । ଏହିକ୍ରମରେ ରାଜ୍ୟରେ ଗତ 24 ଘଣ୍ଟାରେ 671ଟି ମାମଲା ଚିହ୍ନଟ ହେବା ସହ ମୋଟ ଆକ୍ରାନ୍ତ ସଂଖ୍ୟା 11,557ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରେ 6322ଟି ମାମଲା ଏବେ ବି ସକ୍ରିୟ ରହିଛି ।
ସେହିପରି ଭାବେ ଗତ 24 ଘଣ୍ଟା ମଧ୍ୟରେ 7 ଜଣଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା ରାଜ୍ୟରେ 123ରେ ପହଞ୍ଚିଛି । ଏପରି ସ୍ଥିତିକୁ ନଜରରେ ରଖି ଡାନିଏଲ ରାଜ୍ୟବାସୀଙ୍କୁ ସମ୍ବୋଧନ ଦେଇ କହିଛନ୍ତି କି କୋରୋନାକୁ ମାତ ଦେବା ପାଇଁ ଚେଷ୍ଟାକୁ ଆହୁରି ମଜଭୂତ କରିବାକୁ ହେବ ଏବଂ ଲଗାତାର ଚେଷ୍ଟା କରିବାକୁ ପଡିବ । ଏଥିପାଇଁ ରାଜ୍ୟରେ କଟକଣା ସହିତ ରାତି 8ଟାରୁ ଭୋର 5ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ମଧ୍ୟ ଜାରି ରହିବ । ଏହି ସମୟରେ କେବଳ ଜରୁରୀକାଳୀନ ସେବା ଓ ମେଡିକାଲ ସୁବିଧା କାରଣରୁ ଘରୁ ବାହାରିବାକୁ ଅନୁମତି ମିଳିବ ।
ଏହି ସମୟରେ ନାଗରିକଙ୍କୁ ଷ୍ଟେ ଆଟ୍ ହୋମ ଅର୍ଡର ଦିଆଯାଇଛି । ଯାହା ସୋମବାର ମଧ୍ୟରାତ୍ରରୁ ଲାଗୁ ହେବ । ତେବେ ସମଗ୍ର ଅଷ୍ଟ୍ରେଲିଆରେ ବର୍ତ୍ତମାନ କୋରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା 17,282ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 10,201ରେ ପହଞ୍ଚି ।
@IANS