ଜେନେଭା : କୋରୋନା ଭାଇରସ ଏବେ ସାରା ବିଶ୍ବରେ କୋକୁଆ ଭୟ ସୃଷ୍ଟି କରିଛି । କ୍ରମଶଃ ଏହି ମାରାତ୍ମକ ଭାଇରସ ଦ୍ରୁତ ଗତିରେ କାୟା ବିସ୍ତାର କରି ବିଶ୍ବର 18ଟି ଦେଶକୁ ମାଡି ଗଲାଣି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO) ଏହାର ପ୍ରକୋପ ଓ ଭୟାବହତାକୁ ଦେଖି ଗୁରୁବାର ‘ଗ୍ଲୋବାଲ ହେଲଥ୍ ଏମର୍ଜେନ୍ସି’ ଘୋଷଣା କରିଛି ।
WHOର ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ଅଧିନିୟମ ଅପାଦ ସମିତିର ବୈଠକରେ କୋରୋନା ଭାଇରସକୁ ଗ୍ଲୋବାଲ ହେଲଥ୍ ଏମର୍ଜେନ୍ସି ଘୋଷଣା କରାଯାଇଛି । WHOର ମହାନିର୍ଦ୍ଦେଶକ ଟେଡ୍ରୋସ ଅଦନୋମ ଘେବ୍ରେୟସମ ଟ୍ବିଟ କରି କହିଛନ୍ତି, ‘କୋରୋନା ଭାଇରସକୁ ବିଶ୍ବ ପାଇଁ ଉଦ୍ବେଗଜନକ ସ୍ଥିତି ମାନିବା ସହ ବିଶ୍ବ ମହାମାରୀ ଘୋଷିତ ହୋଇଛି। ’
ଏହାସହ ସହ ସେ ଆହୁରି କହିଛନ୍ତି ଯେ, ଚୀନ ସମତେ ଅନେକ ରାଷ୍ଟ୍ରରେ କୋରୋନାକୁ ନେଇ ଯେଉଁ ଭଳି ପରିସ୍ଥିତି ସୃଷ୍ଟି ହେଉଛି ଏହାକୁ ନଜରରେ ରଖି କୋରୋନାକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭାଇରସ 213ଜଣଙ୍କ ପ୍ରାଣ ନେଇଥିବା ବେଳେ, ଏହା ଯୋଗୁଁ 9692 ସଂକ୍ରମିତ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି ।