ଲଣ୍ଡନ: ମହାମାରୀ କୋରୋନା ସଂକଟ ମଧ୍ୟରେ ବିଶ୍ବ ପାଇଁ ଆସିଛି ଖୁସି ଖବର । ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବାକୁ ଯାଉଛି କୋରୋନା ଟୀକା । ମହାମାରୀରୁ ଜୀବନ ବଞ୍ଚାଇବା ପାଇଁ ଭ୍ୟାକ୍ସିନ ଉପରେ ରହିଥିଲା ସମସ୍ତଙ୍କ ନଜର । ତେବେ ଲୋକଙ୍କ ଆଶା ଏବେ ଫଳପ୍ରଦ ହୋଇଛି, କାରଣ ଫାଇଜର ଓ ବାୟୋଏନଟେକର କୋରୋନା ଭ୍ୟାକ୍ସିନକୁ ମଞ୍ଜୁରୀ ପ୍ରଦାନ କରିଛି ୟୁକେ ।
ଆମେରିକା ଓ ୟୁରୋପୀୟ ସଂଘର ନିଷ୍ପତ୍ତି ପୂର୍ବରୁ ଫାଇଜର ଓ ବାୟୋଏନଟେକର କୋରୋନା ଭ୍ୟାକ୍ସିନକୁ ମଞ୍ଜୁରୀ ଦେବାରେ ୟୁକେ ପ୍ରଥମ ଦେଶ ଭାବରେ ଇତିହାସ ରଚିଛି । ତେବେ ଆଗାମୀ ସପ୍ତାହରେ ବ୍ରିଟେନରେ ଉପଲବ୍ଧ ହେବ ଏହି ଭ୍ୟାକ୍ସିନ ।
ବ୍ରିଟେନର କୋରୋନା ଟୀକାକୁ ଅନୁମୋଦନ କରିବା ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ କହିଛନ୍ତି ଯେ ଜରୁରୀକାଳୀନ ବ୍ୟବହାର ପାଇଁ ଫାଇଜର ଟୀକାକୁ ଅନୁମତି ଦେଇଥିବା ବ୍ରିଟେନ ହେଉଛି ପ୍ରଥମ ଦେଶ ଏବଂ ଆସନ୍ତା ସପ୍ତାହରେ ଟୀକାକରଣ ଆରମ୍ଭ ହେବ । କିଛି ଦିନ ପୂର୍ବରୁ ଫାଇଜର କମ୍ପାନୀ ଘୋଷଣା କରିଥିଲା ଯେ ଏହା ଲ୍ୟାବରେ କୋଭିଡର ଏକ ଟୀକା ତିଆରି କରିବାରେ ସଫଳ ହୋଇଛି, ଯାହାକି ଭାଇରସ୍ ବିରୋଧରେ 96% ପ୍ରଭାବଶାଳୀ । ମଙ୍ଗଳବାର ଜର୍ମାନୀ ବାୟୋ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ବାୟୋଏନଟେକ୍ ଏବଂ ଏହାର ଆମେରିକୀୟ ସହଯୋଗୀ ଫାଇଜର କମ୍ପାନୀ ଟୀକା ପଞ୍ଜୀକରଣ ପାଇଁ ୟୁରୋପୀୟ ୟୁନିଅନରେ ଏକ ଆନୁଷ୍ଠାନିକ ଆବେଦନ କରିଥିଲେ ।
ବ୍ରିଟେନର ମେଡିସିନ ଏବଂ ହେଲଥ କେୟାର ପ୍ରଡକ୍ଟ ରେଗୁଲେଟୋରୀ ଏଜେନ୍ସି (MHRA) ଫାଇଜର ଏବଂ ବାୟୋଏନଟେକକ କୋରୋନା ଟୀକା ମୂଲ୍ୟାଙ୍କନକୁ ଅନୁମୋଦନ କରିଛି । ଏହି ଏଜେନ୍ସି ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଏଷ୍ଟ୍ରାଜେନେକାର ଟୀକା ସୁରକ୍ଷା ମାନଦଣ୍ଡ ପୂରଣ କରୁଛି କି ନାହିଁ ତାହା ସ୍ଥିର କରିବା ପ୍ରକ୍ରିୟାରେ ଅଛି ।
ଏହା ପୂର୍ବରୁ ନଭେମ୍ବର 11ରେ ଭାଇଜର ଟୀକାକୁ ଗ୍ରୀନ ସିଗନାଲ ଦେଇଥିଲା ବିଶ୍ବ ସ୍ବାସ୍ଥ୍ୟସଂଗଠନ । ଜନସାଧାରଣଙ୍କୁ ନିରପେକ୍ଷ ଭାବରେ କୋଭିଡ-19 ଭ୍ୟାକ୍ସିନ ବଣ୍ଟା ଯାଉ ବୋଲି କହିଥିଲେ ହୁ ମହାନିର୍ଦେଶକ ।
ଅନ୍ୟପକ୍ଷେ ମହାମାରୀ ସଙ୍କଟ ମଧ୍ୟରେ ଫାଇଜର ଟୀକା ସାରା ବିଶ୍ବ ପାଇଁ ଆଶା ସଞ୍ଚାର କରିଥିବା ବେଳେ ଏହାର ସଂରକ୍ଷଣ ଭାରତ ପାଇଁ ପାଲଟିଛି ବଡ ଚ୍ୟାଲେଞ୍ଜ ।ଫାଇଜର ଭ୍ୟାକ୍ସିନକୁ -70 ଡିଗ୍ରୀ ସେଲସିୟସରେ ରହିପାରିବ । ଏହା ଭାରତ ଭଳି ଦେଶରେ ଏକ ପ୍ରକାରର ଚ୍ୟାଲେଞ୍ଜ କୁହାଯାଇପାରେ । ଏଭଳ ଦେଶରେ ଶୀତଳିକରଣ ଚେନ୍ ବଜାୟ ରଖିବା ବଡ କଠିନ କାର୍ଯ୍ୟ । ଖାସ କରି ଗ୍ରାମୀଣ କ୍ଷେତ୍ରରେ ଏହା ସମ୍ଭବପର ନୁହେଁ ବୋଲି କହିଥିଲେ ଏମ୍ସ ନିର୍ଦେଶକ ରଣଦୀପ ଗୁଲେରିଆ ।