ପୋଷ୍ଟୋଜନା: ବିଭିନ୍ନ ଦେଶରେ କୋରୋନା ପରିସ୍ଥିତି ସୁଧୁରିବା ପରେ ଲକଡାଉନରେ କୋହଳ କରିଛନ୍ତି ସରକାର । ଏହି ଅବସରରେ ଅନେକ ପର୍ଯ୍ୟଟନସ୍ଥଳୀ ଓ ମ୍ୟୁଜିୟମ ଖୋଲିଛନ୍ତି ସରକାର । ବିଭିନ୍ନ ଲୋକପ୍ରିୟ ଓ ପ୍ରସିଦ୍ଧ ଜାଗା ଖୋଲିବା ପରେ ପର୍ଯ୍ୟଟକଙ୍କ ଲାଗିଛି ଗହଳି । ସ୍ଲୋଭେନିଆ ସରକାର ମଧ୍ୟ ନିଜର ପ୍ରସିଦ୍ଧ ପୋଷ୍ଟୋଜନା ଗୁମ୍ଫା ଖୋଲିଛନ୍ତି ।
ପୋଷ୍ଟାଜନା ନିଜ ସଂଗ୍ରହ ପାଇଁ ସାରା ବିଶ୍ବରେ ପ୍ରସିଦ୍ଧ । ଏଠାରେ ବିଶ୍ବର ସବୁଠାରୁ ଛୋଟ ପ୍ରାଣୀ ଦେଖିବାକୁ ମିଳନ୍ତି । ପୌରାଣିକରେ ବର୍ଣ୍ଣିତ ଅନେକ ବିରଳ ଜୀବଜନ୍ତୁ ଏବଂ ରହସ୍ୟଜନକ ପ୍ରାଣୀଙ୍କ ସବୁଠାରୁ ଛୋଟ ସୃଷ୍ଟି ଏଠାରେ ଦେଖିବାକୁ ମିଳେ । ବିଶେଷ କରି ଛୋଟ ଡ୍ରାଗନ ଜାତି ଓଲମ୍ସକୁ ଦେଖିବାକୁ ଏଠାରେ ଭିଡ ଲାଗିଥାଏ । ଏହି ଜାତିର ପ୍ରାଣୀ ଅନ୍ଧ ହୋଇଥାନ୍ତି । ସେମାନେ କାହାକୁ ଦେଖିପାରନ୍ତି ନାହିଁ । ହେଲେ ସେମାନଙ୍କ ଆଘ୍ରାଣ ଶକ୍ତି ଖୁବ୍ ତୀକ୍ଷ୍ଣ । ନିଜର ସମ୍ବେଦନଶୀଳ ଅର୍ଗାନ ପାଇଁ ଏହି ଡ୍ରାଗନ ଛୁଆ ସେମାନଙ୍କ ପାଖରେ ଥିବା ସମସ୍ତଙ୍କୁ ଜାଣିପାରନ୍ତି ।
ଏହି ଡ୍ରାଗନ ଛୁଆ ବାହାରୁ ନିଶ୍ବାସ ପ୍ରଶ୍ବାସ ଗ୍ରହଣ କରିପାରେ । ଏମାନଙ୍କ ଲମ୍ବ କେବଳ 30 ସେଣ୍ଟିମିଟର ଯାଏଁ ହୋଇଥାଏ । ଏମାନେ 12 ବର୍ଷ ଯାଏଁ ନଖାଇ ବଞ୍ଚିପାରିବେ ଓ ଶରୀରର ଅଙ୍ଗ ପୁନଃନିର୍ମାଣ କରାଯାଇପାରିବ । ଏହି ଡ୍ରାଗନ ଛୁଆଙ୍କ ଆୟୁଷ ଶହେ ବର୍ଷରୁ ଅଧିକ ସମୟ । ସାଧାରଣତଃ ପର୍ଯ୍ୟଟକମାନେ ଏହି ଗୁମ୍ଫାରେ କେବଳ ଟ୍ରେନ ଦ୍ବାରା ଏସବୁ ଦୃଶ୍ୟ ଉପଭୋଗ କରନ୍ତି । ହେଲେ ଏଥର ପ୍ରଥମ ଥର ପୋଷ୍ଟୋଜନା ଗୁମ୍ଫା ଏକ ନୂତନ ଆକ୍ବାରିୟମରେ ଜନସାଧାରଣଙ୍କ ପାଇଁ ତିନୋଟି ନାବାଳକ ଓଲମ୍ ପ୍ରଦର୍ଶନ କରୁଛି । ଏହି ଗୁମ୍ଫାରେ 2016 ବ୍ରୁଡରୁ ସମୁଦାୟ 21 ଶିଶୁ ଅଛନ୍ତି । ଗୁମ୍ଫା ପରିଚାଳନା କମିଟି ଦିନକୁ ଗୋଟିଏ ସ୍ବତନ୍ତ୍ର ଭିଆଇପି ଯାତ୍ରା ଆରମ୍ଭ କରିଛି । ଯେଉଁଥିରେ ସାଧାରଣ ପର୍ଯ୍ୟଟନସ୍ଥଳୀ ବାଦ୍ ଏକ ରହସ୍ୟମୟ ନର୍ସରୀ ଆକ୍ବାରିୟମ୍ ପରିଦର୍ଶନ କରାଯାଇଥାଏ ।
ଗତ 4 ବର୍ଷ ତଳେ ପ୍ରଥମେ ଏକ ମାଆ ଓଲମ୍ ଡ୍ରାଗନ ସର୍ବସାଧାରଣରେ ଏକ ଆକ୍ବାରିୟମରେ 64ଟି ଅଣ୍ଡା ଦେଇଥିଲା । ଏହି ବିରଳ ପ୍ରଜାତିର କେବଳ ଏବେ ଏହି ଅଣ୍ଡାରୁ ବାହାରିଥିବା ଶିଶୁ ବଞ୍ଚି ରହିଛନ୍ତି । ଏପରି ଦୃଶ୍ୟ ଦେଖିବାର ସୌଭାଗ୍ୟ କେବଳ ସେତେବେଳେ କିଛି ହାତଗଣତି ଦର୍ଶକଙ୍କୁ ମିଳିଥିଲା । କାରଣ ଏହା ବର୍ଷ ବର୍ଷ ଧରି କେହି ବି ଦେଖିପାରନ୍ତି ନାହିଁ ବୋଲି ଏହାର କର୍ତ୍ତୃପକ୍ଷ କହିଛନ୍ତି । ଏପରି ଅଣ୍ଡା କେବଳ ଥରେ ହିଁ ଦେଇପାରେ ମାଆ ଓଲମ୍ । ଏମାନଙ୍କ ମଧ୍ୟରୁ କେବଳ 2 ଜଣଙ୍କର ଯୁବାବସ୍ଥା ପ୍ରାପ୍ତ ହେବାର ସମ୍ଭାବନା ରହିଛି । ବାକି ମାନେ ଅଣ୍ଡାରୁ ବାହାରିବାବେଳେ ହିଁ ମରିଯାଆନ୍ତି । ତେବେ ଏବେ ଯାଏଁ 21 ଜଣ ଶିଶୁ ବଞ୍ଚିରହିବା ଏକ ଚତ୍ମକାର ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏହି ଡ୍ରାଗନ ଜାତି ଉପରେ କେବଳ ଅଳ୍ପ ସଂଖ୍ୟକ ବୈଜ୍ଞାନିକ ରିସର୍ଚ୍ଚ କରୁଛନ୍ତି । ବିରଳ ପ୍ରଜାତି ହୋଇଥିବାରୁ ଏହାକୁ ସର୍ବସାଧାରଣରେ ଅଧିକ ସମୟ ରଖାଯାଏ ନାହିଁ । ଏମାନଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଗୁମ୍ଫାର କର୍ତ୍ତୃପକ୍ଷ କହିଛନ୍ତି ।
କୋରୋନା ଭୂତାଣୁ ଯୋଗୁଁ ଜାରି ଲକଡାଉନରେ ଏହା ବନ୍ଦ ଥିବାବେଳେ ଜୁନ୍ 11ରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ତେବେ ଏହି ଶିଶୁ ଡ୍ରାଗନଙ୍କ ସୁରକ୍ଷା ପାଇଁ ଗୋଟିଏ ସିଙ୍ଗଲ ଟୁରରେ 30 ଜଣ ପର୍ଯ୍ୟଟକଙ୍କୁ ଅନୁମତି ମିଳିବ । କେବଳ ଗୋଟିଏ ଦିନ ପାଇଁ ଏହା ଲାଗୁ ହେବ । ପୂର୍ବରୁ ଗୋଟିଏ ଦିନରେ ଅନେକ ଟୁର୍ ହେଉଥିଲା । ତେବେ ଏମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ଏମାନଙ୍କୁ ବଞ୍ଚାଇ ରଖିବା ପାଇଁ ବାୟୋଲୋଜିଷ୍ଟ ଅନେକ ପ୍ରୟାସ କରିଛନ୍ତି । ପିଭାକା ନଦୀରୁ 100 କିଲୋଗ୍ରାମର ବାଲି ଅଣାଯାଇଛି । ଏହି ବାଲିରେ ହିଁ ସେମାନେ ବଞ୍ଚିପାରନ୍ତି ବୋଲି ଜଣାପଡିଛି । ଏମାନଙ୍କ ରୋଜ ପିଙ୍କ ସ୍କିନ୍ କଲର ପାଇଁ ସ୍ଲୋଭେନିଆରେ ଏହି ଓଲମ୍ ଶିଶୁଙ୍କୁ ହ୍ୟୁମାନ ଫିସ୍ କୁହାଯାଏ ।