ସିଡନୀ: ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଛି କୋଭିଡ୍ ଭ୍ୟାକସିନ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକାର ଉତ୍ପାଦନ । ଆଜି (ସୋମବାର)ଠାରୁ ଏହାର ଉତ୍ପାଦନ ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହାକୁ ସିଏସଏଲ କମ୍ପାନୀ ଆରମ୍ଭ କରିଛି ।
ଏହି ଭ୍ୟାକସିନର 30 ମିଲିୟନ ଡୋଜ ଭିକ୍ଟୋରିଆରେ ଉତ୍ପାଦନ ହେବ ବୋଲି ଜଣାପଡିଛି । ସେପଟେ ଏହା ଏବେ ସ୍ବେଚ୍ଛାସେବୀଙ୍କୁ ଦିଆଯାଉଛି । କିନ୍ତୁ ଏଥିରେ ଆହୁରି ଅଧିକ ଲୋକଙ୍କୁ ଯୋଡାଯିବ ବୋଲି ଅଷ୍ଟ୍ରେଲିଆର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସିଏସଏଲ 50 ଦିନରେ ଭ୍ୟାକସିନର ଉତ୍ପାଦନ ପ୍ରକ୍ରିୟା ଶେଷ କରିବ । ଏହାପରେ ଅଷ୍ଟ୍ରେଲିଆ ଲୋକଙ୍କୁ ଯୋଗାଇ ଦିଆଯିବ । ଏନେଇ ଅଷ୍ଟ୍ରେଲିଆ ସରକାରଙ୍କ ସହିତ କମ୍ପାନୀର ଚୁକ୍ତି ସ୍ବାକ୍ଷରିତ ହୋଇଥିବା ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ।
ତେବେ ଆଷ୍ଟ୍ରାଜେନିକାକୁ ଏପର୍ଯ୍ୟନ୍ତ ମଧ୍ୟ ଅଷ୍ଟ୍ରେଲିଆର ଥେରାପିଉଟିକ୍ ଗୁଡ୍ସ ଆଡମିନିଷ୍ଟ୍ରେସନ(ଟିଜିଏ)ର ଅନୁମତି ମିଳିନାହିଁ । ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଏବେ ବି ବାକି ରହିଛି । ଯାହା ଚଳିତ ବର୍ଷ ଶେଷରେ ହେବ ବୋଲି କୁହାଯାଉଛି । ହେଲେ ଏସବୁ ଭିତରେ ମାର୍ଚ୍ଚ ସୁଦ୍ଧା ଲୋକଙ୍କୁ ଏହି ଭ୍ୟାକସିନ ମିଳିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।