ଫ୍ରାନ୍ସ: ବିଶ୍ବରେ ଏମିତି ଅନେକ ହୋଟେଲ୍ ରହିଛି ଯାହାର ସ୍ବତନ୍ତ୍ର ପରିଚୟ ରହିଥାଏ । ଏହା ଦେଖିବାକୁ ଯେମିତି ସୁନ୍ଦର ସେତିକି ବିଳାସପୂର୍ଣ୍ଣ ମଧ୍ୟ । କିନ୍ତୁ ଆପଣ ଏମିତି କୌଣସି ହୋଟେଲ ସମ୍ପର୍କରେ ଜାଣିଛନ୍ତି କି ଯେଉଁଠି ଆପଣ କଡ ଲେଉଟାଇଲେ ଗୋଟିଏ ଦେଶର ଲୋକ ଅନ୍ୟ ଏକ ଦେଶରେ ପହଞ୍ଚିଥାଆନ୍ତି ।
ହଁ ଆଜ୍ଞା ଏମିତି ଏକ ହୋଟେଲ ରହିଛି ଯାହାର ନାଁ ଅର୍ବେଜ ହୋଟେଲ । ଏହାକୁ ଫ୍ରାକୋ ହୋଟେଲ ନାମରେ ମଧ୍ୟ ଜଣାଯାଏ । ଏହା ଫ୍ରାନ୍ସ ଏବଂ ସ୍ବିଜରଲ୍ୟାଣ୍ଡ ସୀମା ସ୍ଥିତ ଲାକ୍ବୋର ଅଞ୍ଚଳରେ ରହିଛି । ଏହି ହୋଟେଲ ଦୁଇ ଦେଶ ମଧ୍ୟରେ ଅବସ୍ଥିତ । ଏଥିପାଇଁ ଏହି ହୋଟେଲର ଦୁଇ ଦୁଇଟି ଠିକଣା ମଧ୍ୟ ରହିଛି ।
ଫ୍ରାନ୍ସ ଏବଂ ସ୍ବିଜରଲ୍ୟାଣ୍ଡ ଦୁଇଟି ଦେଶର ସୀମାରେ ଏହି ହୋଟେଲ ଦେଇ ହିଁ ଗତି କରିଥାଏ । ଏହା ଭିତରକୁ ଗଲେ ଆପଣ ଗୋଟିଏ ଦେଶରୁ ଅନ୍ୟ ଦେଶରେ ପହଞ୍ଚିଯିବେ । ହୋଟେଲର ବିଭାଜନ ଦୁଇ ଦେଶର ସୀମାକୁ ଧ୍ୟାନରେ ରଖି କରାଯାଇଛି । ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଏହି ହୋଟେଲର ବାର୍ ସ୍ବିଜରଲ୍ୟାଣ୍ଡରେ ଏବଂ ବାଥରୁମ୍ ଫ୍ରାନ୍ସରେ ରହିଛି ।

ଏହାର ପ୍ରତିଟି ରୁମ୍ ଦୁଇଟି ଅଂଶରେ ବଣ୍ଟାଯାଇଛି । ରୁମ୍ରେ ଥିବା ବେଡ୍ ଏପରି ରଖାଯାଇଛି ଏହାର ଗୋଟିଏ ପାର୍ଶ୍ବ ଫ୍ରାନ୍ସ ଏବଂ ଅନ୍ୟ ପାର୍ଶ୍ବ ସ୍ବିଜରଲ୍ୟାଣ୍ଡରେ ରହିଛି । ଏହାସହ ଏହାର ଦୁଇଟି ତକିଆ ମଧ୍ୟ ଭିନ୍ନଭିନ୍ନ ଦେଶର ରହିଛି ।
ଏବେ ହୋଟେଲଟି ଯେଉଁଠି ରହିଛି ସେଠାରେ ପୂର୍ବରୁ ଏକ ଦୋକାନ ଥିଲା । 1921 ମସିହାରେ ଜୁଲ୍ସ-ଜୀନ ଅର୍ବଜେ ନାମକ ଜଣେ ବ୍ୟକ୍ତି ଏହି ଜମିକୁ କିଣି ସେଠାରେ ଏହି ହୋଟେଲ୍ ନିର୍ମାଣ କରିଥିଲେ । ଏହା ଫ୍ରାନ୍ସ ଏବଂ ସ୍ବିଜରଲ୍ୟାଣ୍ଡ ଦୁଇ ଦେଶର ପରିଚୟ ହୋଇସାରିଛି ।
