ଲଣ୍ଡନ: ବ୍ରିଟେନରେ କୋରୋନା ଟିକା ନେଇସାରିବା ପରେ ରକ୍ତ ଜମାଟ ବାନ୍ଧିବା ଭଳି ସଂଘାତିକ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଉଛି । ୟୁକେ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଆଷ୍ଟ୍ରାଜେନେକା ଟିକା ନେଇଥିବା ପ୍ରାୟ ବ୍ୟକ୍ତିମାନଙ୍କ ମଧ୍ୟରୁ ୩୦ ଜଣଙ୍କର ରକ୍ତ ଜମାଟ ବାନ୍ଧିବା ଭଳି ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ଏବଂ ସେମାନଙ୍କ ମଧ୍ୟରୁ ୭ ଜଣଙ୍କର ମୃତ୍ୟୁ ଘଟିଛି । ଯାହାକୁ ନେଇ ବିଶେଷଜ୍ଞମାନେ ଏବେ ଚିନ୍ତାରେ ।
ବ୍ରିଟେନର ମେଡିସିନ୍ ଏବଂ ହେଲ୍ଥକେୟାର ପ୍ରଡକ୍ଟ ରେଗୁଲେଟୋରୀ ଏଜେନ୍ସି (MHRA) ଏକ ବିବୃତ୍ତିରେ କହିଛି ଯେ, 24 ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରାୟ ୩୦ ଜଣ ବ୍ୟକ୍ତିଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିଥିଲା ଏବଂ ସେମାନଙ୍କ ମଧ୍ୟରୁ ୭ ଜଣଙ୍କର ମୃତ୍ୟୁ ଘଟିଛି । ବ୍ରିଟେନ୍ ସ୍ବାସ୍ଥ୍ୟ ବିଭାଗ କହିବା ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୮.1 ମିଲିୟନ ଲୋକଙ୍କୁ ଆଷ୍ଟ୍ରାଜେନେକା ଟିକା ଦିଆସରିଛି । ଅଧିକାଂଶ ମାମଲା (22) ଏକ ବିରଳ ଜମାଟ ବାନ୍ଧିବା ଅବସ୍ଥା ଥିଲା ଯାହାକୁ ସେରେବ୍ରଲ ଭେନସ୍ ସାଇନସ୍ ଥ୍ରୋମ୍ବୋସିସ୍ କୁହାଯାଏ ।
ଆଠଟି ମାମଲାରେ ଲୋକମାନେ ଅନ୍ୟ ପ୍ରକାରର ଥ୍ରୋମ୍ବୋସିସ୍ ରୋଗରେ ଆକ୍ରାନ୍ତ ହୋଇଥିଲେ, ଯେଉଁଥିରେ ରକ୍ତ ସ୍ତର କମ୍ ହୋଇଥାଏ । ଏହି ରିପୋର୍ଟଗୁଡିକ ଉପରେ ଏବେ ପୁଙ୍ଖାନୁପୁଙ୍ଖ ସମୀକ୍ଷା ଚାଲିଛି । ତେବେ ଇଂଲଣ୍ଡରେ ବର୍ତ୍ତମାନ ସୁଦ୍ଧା ୩୧ ମିଲିୟନ ଲୋକ ଫାଇଜର ଏବଂ ଆଷ୍ଟ୍ରାଜେନେକା ଟିକା ନେଇସାରିଲେଣି ।