କାବୁଲ: ତାଲିବାନ ଦାୟିତ୍ବ ସମ୍ଭାଳିଛନ୍ତି ପ୍ରତିଷ୍ଠାତା ମୂଲାହ୍ ଓମାରଙ୍କ ପୁଅ ମୂଲାହ୍ ୟାକୁବ । ଆତଙ୍କୀ ସଙ୍ଗଠନର ଅନ୍ତରୀଣ କମାଣ୍ଡର ଭାବେ ସେ ଦାୟିତ୍ବ ଗ୍ରହଣ କରିଛନ୍ତି । କିଛି ବରିଷ୍ଠ କମାଣ୍ଡର କୋରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହେବା ପରେ ୟାକୁବ ଏହି ଦାୟିତ୍ବ ନେଇଛନ୍ତି ।
ଆଫଗାନିସ୍ତାନର ପୂର୍ବତନ ଜାତୀୟ ସୁରକ୍ଷା ନିର୍ଦ୍ଦେଶକ ରହମତୁଲ୍ଲା ନବିଲ ଏହା ସମ୍ପର୍କରେ ସୂଚନା ଦେଇଛନ୍ତି । ତାଲିବାନର ପ୍ରତିଷ୍ଠାତା ମୂଲାହ୍ ଓମାରଙ୍କ ପୁଅ ୟାକୁବ ଏବେ ଅନ୍ତରୀଣ କମାଣ୍ଡର ଭାବେ ଦାୟିତ୍ବ ଭାର ସମ୍ଭାଳିଛି । ସଙ୍ଗଠନର କିଛି ବରିଷ୍ଠ କମାଣ୍ଡର କୋରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହେବା ଖବର ଜଣାପଡିଛି । ଏନେଇ ସଙ୍ଗଠନ ପକ୍ଷରୁ କିଛି ପ୍ରକାଶ କରାଯାଇନଥିଲେ ମଧ୍ୟ ଖବରର ସତ୍ୟତା ରହିଛି ବୋଲି ନବିଲ କହିଛନ୍ତି । ଦୋହାରୁ ଏହାର ମୁଖ୍ୟ କାର୍ଯ୍ୟାଳୟରୁ ପ୍ରାୟ ଅଧିକାଂଶ ବରିଷ୍ଠ କର୍ମଚାରୀ ଛଟେଇ ହୋଇଛନ୍ତି । ସେମାନେ ବର୍ତ୍ତମାନ ଆଫଗାନିସ୍ତାନ ଫେରିବେ ବୋଲି ଜଣାପଡିଛି । ସଙ୍ଗଠନରେ ଦେଖାଦେଇଥିବା ସଙ୍କଟ ଦୂର କରିବାକୁ ଏମାନେ ନିୟୋଜିତ ହୋଇଛନ୍ତି ।
ସେହିପରି ତାଲିବାନରେ ବର୍ତ୍ତମାନ ନେତୃତ୍ବକୁ ନେଇ ବିବାଦ ଦେଖାଦେଇଛି । ବରିଷ୍ଠ ଓ ଯୁବାଙ୍କ ମଧ୍ୟରେ ଏହି ବିବାଦ ସୃଷ୍ଟି ହୋଇଛି । ଏହା ଅନୁସାରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ତାଲିବାନ ଉପରେ କବଜା କରିଛି । ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଏହା ଦାୟିତ୍ବ ଦେଇ ପୁରୁଣା ଲୋକଙ୍କୁ ହଟାଇ ଦେଇଛି । ଯୁବ ନେତାଙ୍କୁ ଦାୟିତ୍ବ ଦେଇ ନିଜ ପଟରେ ରଖିବାକୁ ଆଇଏସଆଇ ଚେଷ୍ଟା ଚଲାଇଛି । ୟାକୁବଙ୍କ ସମର୍ଥକ ଏବେ ସମସ୍ତ କାର୍ଯ୍ୟଭାର ମୁଣ୍ଡାଇଛନ୍ତି । ବଡ ବଡ ପଦ ସମ୍ଭାଳିବା ସହ ସେମାନେ ସଙ୍ଗଠନର ଦାୟିତ୍ବ ନେଇଛନ୍ତି ।
ତେବେ ତାଲିବାନର ବିବାଦ ଯୋଗୁଁ ଆଫଗାନ୍ ସରକାର ସମସ୍ୟାରେ ପଡିପାରନ୍ତି ବୋଲି ନବିଲ କହିଛନ୍ତି । କାରଣ ଆମେରିକା ଓ ତାଲିବାନ ମଧ୍ୟରେ ଚୁକ୍ତି ଅନୁସାରେ ଶାନ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାସହ ଆମେରିକା ଆସନ୍ତାବର୍ଷ ସୁଦ୍ଧା ନିଜ ସେନା ହଟାଇବାକୁ ମଧ୍ୟ ସ୍ଥିର କରିଛି । ହେଲେ ସଙ୍ଗଠନରେ ବିବାଦ ଏହି ପ୍ରକ୍ରିୟାରେ ବାଧା ଦେଇପାରେ । କାରଣ ବରିଷ୍ଠ ନେତାଙ୍କ ସହ ଏହି ଆଲୋଚନା ହୋଇଥିବାବେଳେ ଯୁବ ନେତା ଏହା ବିରୋଧରେ ଯାଇପାରନ୍ତି ବୋଲି ସରକାର ଆଶା କରୁଛନ୍ତି