କାବୁଲ: ଜୋର ଜବରଦସ୍ତ ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ ଆତଙ୍କୀ ସଂଗଠନ ଆଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ ଉପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଆଫଗାନିସ୍ତାନ ଦଳ ଅନ୍ୟ ଅନ୍ତର୍ଜାତୀୟ ଦଳ ସହ ଖେଳିପାରିବା ନେଇ ତାଲିବାନ ପ୍ରଥମ କ୍ରିକେଟ୍ ଟେଷ୍ଟକୁ ଅନୁମତି ଦେଇଛି । ତାଲିବାନର ଏହି ନିଷ୍ପତ୍ତିରେ ଆଫଗାନିସ୍ତାନରେ କ୍ରିକେଟ ଜୀବିତ ହୋଇଛି ।
ତାଲିବାନର ସାଂସ୍କୃତିକ ଆୟୋଗର ଡେପୁଟି ହେଡ୍ ଅହମ୍ମଦୁଲ୍ଲା ୱାସିକ୍ ଆତଙ୍କବାଦୀ ଗୋଷ୍ଠୀ ମଞ୍ଚକୁ ସମର୍ଥନ କରିଥିବା ଦର୍ଶାଇ କହିଛନ୍ତି ଯେ ପୂର୍ବରୁ ସଂଗଠିତ ସମସ୍ତ ମ୍ୟାଚ ବିନା ବାଧାରେ ଜାରି ରହିବ । ନିକଟରେ ଶ୍ରୀଲଙ୍କାରେ ଶୁକ୍ରବାର ଦିନ ହେବାକୁ ଥିବା ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା ।
ଅଗଷ୍ଟ 15ରେ କାବୁଲକୁ ନିଜ ଅଧୀନକୁ ନେଇଥିଲେ ତାଲିବାନ ଆତଙ୍କୀ । ଆଫଗାନ ଦଖଲ କରିବା ବେଳେ କ୍ରିକେଟ ବୋର୍ଡର ଅଫିସକୁ ମଧ୍ୟ କବଜା କରିଥିଲା । ଲାଗୁଥିଲା ତାଲିବାନ କ୍ରିକେଟ ଖେଳିବାକୁ ଆଉ ଅନୁମତି ଦେବନି । ଏପରି କି ଆଫଗାନିସ୍ତାନ ଓ ପାକିସ୍ତାନ ବିପକ୍ଷ ସିରିଜ୍କୁ ମଧ୍ୟ ସ୍ଥଗିତ ରଖାଯାଇଥିଲା । ତେବେ ଆଜି ତାଲିବାନ ପକ୍ଷରୁ ଆଫଗାନ କ୍ରିକେଟ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଖେଳିବାକୁ ଗ୍ରୀନ ସିଗନାଲ ମିଳିଛି । ନଭେମ୍ବର ୨୭ରେ ଦୁଇ ଦେଶ ମଧ୍ୟରେ ଅଷ୍ଟ୍ରେଲିଆରେ ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯିବ ।
ମ୍ୟାଚ୍ ତୁରନ୍ତ ଆୟୋଜନ କରିବାକୁ କ୍ରିକେଟ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ସହମତି ଦେଇଛନ୍ତି । ଟି-୨୦ ବିଶ୍ବକପରେ ମଧ୍ୟ ଆଫଗାନ ଟିମ୍ ଖେଳିବ । ଆଫଗାନ ପୁରୁଷ ଟିମର ଖେଳ ଉପରେ କୌଣସି ପ୍ରକାରର ହସ୍ତକ୍ଷେପ କରିବ ନାହିଁ ତାଲିବାନ । ମହିଳା କ୍ରିକେଟ ଟିମର ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ରହିଛି ।
@ANI