କଲମ୍ବୋ: ପବିତ୍ର ଇଷ୍ଟର ପର୍ବ ଉପଲକ୍ଷେ ସିରିଜ ବୋମା ବିସ୍ଫୋରଣରେ ଦୋହଲି ଉଠିଥିଲା ଶ୍ରୀଲଙ୍କା । ୮ଟି ବୋମା ବିସ୍ଫୋରଣରେ ୨୯୦ ଲୋକଙ୍କ ମୃତ୍ୟୁ ହେବା ସହ ୪୫୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଏହି ସମସ୍ତ ଘଟଣା ମଧ୍ୟରେ ଶ୍ରୀଲଙ୍କା ପୋଲିସକୁ କଲମ୍ବୋର ମୁଖ୍ୟ ବସଷ୍ଟାଣ୍ଡରେ ୮୭ଟି ବୋମା ଡିଟୋନେଟର୍ସ ମିଳିଛି । ଏହାସହ ସୋମବାର ମଧ୍ୟରାତ୍ରିରୁ ସମଗ୍ର ଦେଶରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ବୋଲି ଘୋଷଣା କରିଛନ୍ତି ରାଷ୍ଟ୍ରପତି ମୈତ୍ରୀପାଲା ସିରିସେନା ।
ଏହି ସିରିଜ ବୋମା ବିସ୍ଫୋରଣରେ ଶ୍ରୀଲଙ୍କା ପୋଲିସ ବର୍ତ୍ତମାନ ଯାଏ ୨୪ ଜଣଙ୍କୁ ଗିରଫ କରିଛି । ସେହିପରି ଆଜି(ସୋମବାର) ସକାଳେ କଲମ୍ବୋ ବିମାନବନ୍ଦର ନିକଟରେ ଏକ ବୋମା ଉଦ୍ଧାର କରାଯାଇଛି । ଏହାକୁ ସୁରକ୍ଷାକର୍ମୀମାନେ ନିଷ୍କ୍ରିୟ କରି ଦେଇଥିଲେ ।
ଏହି ବିସ୍ଫୋରଣରେ ୬ ଭାରତୀୟଙ୍କ ମୃତ୍ୟୁ ହେବାର ଖବର ମିଳିଛି । ଆକ୍ରମଣ ପରେ ଗୁଜବରୁ ବର୍ତ୍ତିବା ପାଇଁ ସମଗ୍ର ଦେଶରେ ସୋସିଆଲ ମିଡିଆ ଉପରେ ରୋକ ଲଗାଯାଇଛି । ଗୃହଯୁଦ୍ଧର ୧୦ ବର୍ଷରେ ଶ୍ରୀଲଙ୍କା ପ୍ରଥମଥର ଅଶାନ୍ତିର ପରିସ୍ଥିତିକୁ ସାମ୍ନା କରୁଛି ।
ଏହି ସମସ୍ତ ଘଟଣା ପରେ ଶ୍ରୀଲଙ୍କା ସରକାର ଦେଶସାରା ସନ୍ଧ୍ୟା 6ଟାରୁ ସକାଳ 6ଟା ଯାଏଁ କର୍ଫ୍ୟୁ ଜାରି କରିଥିଲେ । ଯାହାକୁ ଆଜି ସକାଳେ ଉଠାଇ ନିଆଯାଇଛି । କଲମ୍ବୋର ଏଥନୀ ଚର୍ଚ୍ଚ, ନୌଗୋଂବୋ ସ୍ଥିତ ସେବେଷ୍ଟିଆନ ଚର୍ଚ୍ଚ ଓ ବଟ୍ଟିକଲମ୍ବୋସ୍ଥିତ ଏକ ଚର୍ଚ୍ଚରେ ଏହି ବୋମା ବିସ୍ଫୋରଣ ଘଟିଥିଲା । ଏହାଛଡା ହୋଟେଲ ଶାଙ୍ଗ୍ର-ଲା, ସିନାମୋନ ଗ୍ରାଣ୍ଡ ଓ କିଙ୍ଗ୍ସବରୀରେ ବିସ୍ଫୋରଣ ଘଟିଥିଲା ।