ସିଓଲ: ଦକ୍ଷିଣ କୋରିଆରେ କୋରୋନାର ଉତ୍ପତ୍ତି ହୋଇଥିବା ଦକ୍ଷିଣପୂର୍ବ ସହର ଦାଏଗୁରେ ସ୍କୁଲ ଖୋଲିବାର ଗୋଟିଏ ଦିନ ପରେ ଜଣେ ଛାତ୍ର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାର ତୁରନ୍ତ ପରେ ସମ୍ପୃକ୍ତ ଛାତ୍ର ପଢୁଥିବା ସ୍କୁଲ ବନ୍ଦ କରିବା ସହ ସମସ୍ତ ସହପାଠୀଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରର ଶିକ୍ଷା ବିଭାଗର ସୂଚନା ମୁତାବକ ଛାତ୍ର ଜଣଙ୍କ ଦାଏଗୁ ଏଗ୍ରିକଲଚରାଲ ମୈଷ୍ଟର ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନରତ ।
ସ୍କୁଲର ଡର୍ମିଟୋରୀରେ ଛାତ୍ର ଜଣଙ୍କ ରହୁଥିବା ବେଳେ ଗୁରୁବାର ସେ କୋରୋନାରେ ଆକ୍ରାନ୍ତ ଥିବା ଜଣା ପଡିଥିଲା । ଏହା ସ୍ପଷ୍ଟ ହେବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ସ୍କୁଲ ବନ୍ଦ କରିବା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ହୋମ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବୁଧବାର ଦେଶରେ ସମସ୍ତ ଉଚ୍ଚ ବିଦ୍ୟାଳୟ ଖୋଲିଥିଲା । ଏହା ପୂର୍ବରୁ କୋରୋନା ପ୍ରକୋପରେ ପାଞ୍ଚ ଥର ଏହି ନିର୍ଦ୍ଧାରିତ ତାରିଖ ଘୁଞ୍ଚିଥିବା ବେଳେ ବୁଧବାର ସମସ୍ତ ସ୍କୁଲ ଖୋଲିଥିଲା ।
ସେପଟେ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ଜୁନ 8ରୁ ଖୋଲିବାର ଯୋଜନା ରହିଛି । ତେବେ ଦାଏଗୁ ସ୍କୁଲରେ ପଜିଟିଭ ଚିହ୍ନଟ ଛାତ୍ର ଜଣଙ୍କ ମଙ୍ଗଳବାର ବିନା କୋଭିଡ-19 ଟେଷ୍ଟିଂରେ ଡର୍ମିଟୋରୀରେ ପ୍ରବେଶ କରିଥିଲେ । ଏନେଇ ବୁଧବାର ପ୍ରଥମାର୍ଦ୍ଧରେ ବିଦ୍ୟାଳୟ କର୍ତ୍ତୁପକ୍ଷ ଜାଣିବାକୁ ପାଇଥିଲେ । ତେବେ ନିୟମ ମୁତାବକ ସମ୍ପୃକ୍ତ ଡର୍ମିଟୋରୀରେ ଥିବା ଅନ୍ୟ 17 ଜଣ ଛାତ୍ରଙ୍କୁ ସ୍କୁଲରେ ଆଇସୋଲେଟ କରାଯାଇଥିବା ବେଳେ ବଳକା 94 ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଛି । ଏଥିସହ ବିଦ୍ୟାଳୟ ପରିସରକୁ ସାନିଟାଇଜ କରିବା ପାଇଁ ଦୁଇ ଦିନ ବନ୍ଦ ରଖାଯିବା ମଧ୍ୟ କୁହାଯାଇଛି ।
@IANS