କାବୁଲ: ପୂର୍ବ ଆଫଗାନିସ୍ତାନର ଗଜନୀ ଅଞ୍ଚଳରେ ବୋମା ବିସ୍ଫୋରଣ । ତେବେ ଶୁକ୍ରବାର ଦିନ ଏକ ରିକ୍ସାରେ ଲୁଚାଇ ରଖାଯାଇଥିବା ବୋମା ବିସ୍ଫୋରଣ ହେବା ଦ୍ବାରା 15 ଶିଶୁଙ୍କୁ ମୃତ୍ୟୁ ହେବା ସହ ୨୦ ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ଅପରାହ୍ନରେ ହୋଇଥିବା ଜଣାପଡିଛି । ଯେଉଁ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି ତାହା ତାଲିବାନ ଅଧିନରେ ରହିଛି ।
ସୂଚନାଯୋଗ୍ୟ ଯେ, ରିକ୍ସା ଚାଳକ ଜଣଙ୍କ ଯେତେବେଳେ ସାମଗ୍ରୀ ବିକ୍ରି କରିବାକୁ ଗାଁକୁ ଯାଇଥିଲେ ସେହି ସମୟରେ ଛୋଟ ପିଲାମାନେ ତାଙ୍କୁ ଘେରି ଯାଇଥିଲେ । ଆଉ ଏହି ସମୟରେ ରିକ୍ସାରେ ଲୁଚାଯାଇଥିବା ବୋମା ବିସ୍ଫୋରଣ ଘଟିଥିଲା ବୋଲି ଗଜନୀ ପ୍ରଦେଶର ରାଜ୍ୟପାଳଙ୍କ ମୁଖପାତ୍ର ୱହିଦୁଲ୍ଲା ଜୁମାଜାଦା କହିଛନ୍ତି ।
ଏହି ବିସ୍ଫୋରଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ତେବେ ମୃତାହତଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ଦୁଇ ଦଶନ୍ଧି ପୁରୁଣା ଯୁଦ୍ଧକୁ ଶେଷ କରିବା ପାଇଁ କତରରେ ଆଫଗାନିସ୍ତାନ ସରକାର ଏବଂ ଚରମପନ୍ଥୀ ତାଲିବାନର ମଧ୍ୟସ୍ତିଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । ଏହା ସତ୍ତ୍ବେ ହିଂସାକାଣ୍ଡ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।