ଇସଲାମାବାଦ: ପାକିସ୍ତାନରେ କୋରୋନା ସ୍ଥିତି ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ କମିଥିଲେ ମଧ୍ୟ 5000 ଉପରେ ଏବେ ବି ମାମଲା ବାହାରୁଛି । ସେହିପରି ମୃତ୍ୟୁ ସଂଖ୍ୟା 3000 ମୁହାଁ ହୋଇଛି ।
ବର୍ତ୍ତମାନର ପରିସ୍ଥିତି ଦେଖି ପାକ୍ ଯୋଜନା ମନ୍ତ୍ରୀ କହିଛନ୍ତି ଆଗାମୀ ଦିନରେ ଦେଶର ଅବସ୍ଥା ଅଧିକ ଖରାପ ହେବାର ସମ୍ଭାବନା ରହିଛି । ଏକ ଆକଳନ ଅନୁସାରେ ଜୁନ୍ ଶେଷ ସୁଦ୍ଧା ଦେଶରେ ଏବେ ଥିବା ମାମଲାର ଦୁଇ ଗୁଣା ବଢିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ସେହିପରି ଜୁଲାଇ ଶେଷ ସୁଦ୍ଧା ପାକିସ୍ତାନରେ 12 ଲକ୍ଷ ଆକ୍ରାନ୍ତ ବାହାରିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ଉଭୟ ସରକାର ଓ ଲୋକଙ୍କ ମିଳିତ ସହଯୋଗରେ ହିଁ ଏହି ମହାମାରୀର ମୁକାବିଲା ହୋଇପାରିବ ବୋଲି ଯୋଜନା ମନ୍ତ୍ରୀ ଅସଦ ଉମର କହିଛନ୍ତି ।
ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 5248 କୋରୋନା କେସ ବାହାରିଛି । ଲଗାତାର କିଛିଦିନ ଆସିଥିବା ପଜିଟିଭି ମାମଲା ଅନୁପାତରେ ସାମାନ୍ୟ ହ୍ରାସ ଘଟିଛି । ତେବେ ଏବେ ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 44 ହଜାର 676 ପହଞ୍ଚିଛି । ସେହିପରି 24 ଘଣ୍ଟାରେ 97ଟି ମୃତ୍ୟୁ ସହ 2729 ଛୁଇଁଛି ଦେଶରେ କୋରୋନା ମୃତ୍ୟୁ । ପଞ୍ଜାବ ପ୍ରଦେଶରେ କେବଳ 1000 ମୃତ୍ୟୁ ରହିଛି । ସୋମବାର ଦେଶର ପ୍ରଥମ ରାଜ୍ୟ ଭାବେ ପଞ୍ଜାବରେ ମୃତ୍ୟୁ ସଂଖ୍ୟା ହଜାରେ ପାର୍ କରିଛି ।
ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ 54 ହଜାର 138 ରହିଛି । ଏହା ପଛକୁ ସିନ୍ଧରେ 53 ହଜାର 805 ପଜିଟିଭ ମାମଲା ବାହାରିଛି । ଏବେ ପର୍ଯ୍ୟନ୍ତ ଦେଶରେ 53 ହଜାର 721 ଜଣ ସୁସ୍ଥ ହୋଇସାରିଛନ୍ତି । ତେବେ ଦୈନିକ 30 ହଜାର ଟେଷ୍ଟ କରିବାର ନିକଟତର ହୋଇଛନ୍ତି ପାକ୍ ସରକାର । ଗତ 24 ଘଣ୍ଟାରେ 29 ହଜାର 85 ସାମ୍ପଲ ପରୀକ୍ଷା ହୋଇସାରିଛି । ମୋଟ୍ ଉପରେ 9 ଲକ୍ଷ ପାଖାପାଖି ଟେଷ୍ଟ କରିସାରିଛନ୍ତି ପାକ୍ ସରକାର । ଏପର୍ଯ୍ୟନ୍ତ ମୋଟ୍ 8 ଲକ୍ଷ 97 ହଜାର 650 ଟେଷ୍ଟ ସରିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।