ମାନିଲା: କୋରୋନା ଯୋଗୁଁ ଫିଲିଫାଇନ୍ସରେ ଅବସ୍ଥା ଖରାପ ରହିଛି । ଏଠାରେ 15 ହଜାର ଉପରେ ଆକ୍ରାନ୍ତ ବାହାରିଛନ୍ତି । ପରିସ୍ଥିତି ଦେଖି ସରକାର ଦୀର୍ଘ 2 ମାସ ହେବ ଲକଡାଉନ ଘୋଷଣା କରିଛନ୍ତି । ହେଲେ ଏହି ଲକଡାଉନ ପିଲାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ।
ଆମେରିକା ପକ୍ଷରୁ ପ୍ରକାଶ ଏକ ରିପୋର୍ଟ ଅନୁସାରେ ଏଠାରେ ଲକ୍ଷାଧିକ ପିଲା ଅନଲାଇନ ଯୌନ ଶୋଷଣର ଶିକାର ହୋଇଛନ୍ତି । ବିଶେଷ କରି ଲକଡାଉନରେ ଏହି ସଂଖ୍ୟା ଅଧିକ ବଢିଛି । ଏହା ଶିଶୁ ଶୋଷଣରେ ଏକ ଗ୍ଲୋବାଲ ହଟସ୍ପଟ ପ୍ରମାଣିତ ହୋଇଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଫିଲିଫାଇନ୍ସରେ ଏହା ଗତ କିଛି ବର୍ଷ ଧରି ଅଧିକ ବୃଦ୍ଧି ପାଇଛି । ଟଙ୍କା ପାଇଁ ନିଜ ପିଲାଙ୍କୁ ଏହି ଶୋଷଣର ଶିକାର ହେବାକୁ ଛାଡିଦିଅନ୍ତି ବାପା ମାଆ । ତେବେ ଲକଡାଉନରେ ଏହି ଶୋଷଣ ଅଧିକ ମାତ୍ରାରେ ହୋଇଥିବା ଜଣାପଡିଛି ।
ଅଧିକାଂଶ କେସରେ ପିଲାଙ୍କ ଅଭିଭାବକ ଓ ନିକଟ ସମ୍ପର୍କୀୟ ହିଁ ଏହି ପିଲାଙ୍କୁ ଚାଲାଣ କରିବାରେ ମୁଖ୍ୟ ଦଲାଲ ସାଜିଛନ୍ତି । ଏବେ ଲକଡାଉନରେ ପିଲା ଘରେ ବନ୍ଦୀ ଥିବା ଅର୍ଥ ସେମାନେ ତାଙ୍କ ଚାଲାଣକାରୀଙ୍କ ସହ ଥିଲେ ବୋଲି ରିପୋର୍ଟରେ କୁହାଯାଇଛି । ଇଣ୍ଟରନେଟ୍ ସୁବିଧା ଏବଂ ଅନଲାଇନ କ୍ୟାସ ପେମେଣ୍ଟ ବ୍ୟବସ୍ଥା ଯୋଗୁଁ ଏହି ଚାଲାଣ ଅଧିକ ସୁବିଧା ହୋଇଛି । ଦେଶର 64 ପ୍ରତିଶତ ଅନଲାଇନ ଶିଶୁ ଶୋଷଣ ବିଦେଶୀଙ୍କ ଦ୍ବାରା ହୋଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି । ପୂର୍ବରୁ 2014ରୁ 2017 ମଧ୍ୟରେ ଏହି କାରବାର 250 ପ୍ରତିଶତ ବୃଦ୍ଧି ପାଇଛି ବୋଲି ରିପୋର୍ଟରେ ଉଲ୍ଲେଖ ଅଛି ।