ଏସ୍.ଡି. ମୁନି, ପ୍ରଫେସର ଏମିରିଟସ୍, ଜେଏନୟୁ
ପୂର୍ବତନ ରାଷ୍ଚ୍ରଦୂତ ଏବଂ ସ୍ବତନ୍ତ୍ର ରାଜଦୂତ, ଭାରତ ସରକାର ଏକ ସଂଘୀୟ, ଗଣତାନ୍ତ୍ରିକ ଜନରାଜ୍ୟ ରୂପରେ ଉଭା ହେବା ଦିନଠାରୁ ଆରମ୍ଭ କରି, ବିଶେଷତଃ ବିଗତ ଗୋଟିଏ ଦଶନ୍ଧିରୁ ଅଧିକ କାଳ ହେଲା, ନେପାଳ ରାଜନୈତିକ ଅସ୍ଥିରତା ଜନିତ ଏକ ଚିରକାଳୀନ ସଂକଟ ଘେରରେ ଫସି ରହିଛି । ମନେହୁଏ, ଦେଶର ଖଣ୍ଡବିଖଣ୍ଡିତ ରାଜନୈତିକ ପରିସ୍ଥିତି, ଭଙ୍ଗପ୍ରବଣ ସାମ୍ବିଧାନିକ ସଂସ୍ଥା ସମୂହ ଏବଂ ଅତି ଉଚ୍ଚାକାଂକ୍ଷୀ ଓ କ୍ଷମତାଲୋଭୀ ରାଜନୈତିକ ନେତୃବୃନ୍ଦରେ ହିଁ ଏହି ଅସ୍ଥିରତାର ମୂଳ କାରଣ ନିହିତ । ସଂପ୍ରତି ନେପାଳରେ ପରିଦୃଷ୍ଟ ରାଜନୈତିକ ସଂକଟ ସେତେବେଳେ ଉପୁଜିଲା, ଯେତେବେଳେ, ଗତ ଡିସେମ୍ବରରେ ନିଜେ ପ୍ରଧାନ ମନ୍ତ୍ରୀ କେ.ପି.ଶର୍ମା ଓଲି ସଂସଦ ଭଙ୍ଗ କରିବା ସହିତ 2021 ମସିହା ଏପ୍ରିଲ-ମେ’ ବେଳକୁ ସାନି ନିର୍ବାଚନ କରିବାକୁ ଘୋଷଣା କଲେ ।
ଏହା ଦ୍ବାରା ନେପାଳ ସମ୍ବିଧାନର ( 2015 ସେପ୍ଟେମ୍ବରରେ ଗୃହୀତ) ଖୋଲାଖୋଲି ଉଲ୍ଲଂଘନ କରାଗଲା । କାରଣ, ସମ୍ବିଧାନରେ ସଂସଦକୁ ଏଭଳି ଭଙ୍ଗ କରିବାର ନିୟମ ନାହିଁ । ସଂସଦରେ ସଂଖ୍ୟାଗରିଷ୍ଠ ସମର୍ଥନ ହରାଇବା ସମେତ ଯେ କୌଣସି କାରଣରୁ ଜଣେ ପଦାସୀନ ପ୍ରଧାନ ମନ୍ତ୍ରୀ ପଦଚ୍ୟୁତ ହେବା କ୍ଷେତ୍ରରେ ଜଣେ ନୂଆ ପ୍ରଧାନ ମନ୍ତ୍ରୀ ନିର୍ବାଚିତ ହେବେ ବୋଲି ନେପାଳ ସମ୍ବିଧାନରେ ସ୍ପଷ୍ଟ ବ୍ୟବସ୍ଥା ରହିଛି । ସଂସଦ ଭଙ୍ଗ କରିବାର କାରଣ ରୂପରେ ପ୍ରଧାନ ମନ୍ତ୍ରୀ ଦର୍ଶାଇଥିଲେ ଯେ, ତାଙ୍କ ଦଳର ବରିଷ୍ଠ ସହଯୋଗୀମାନେ ତାଙ୍କୁ ସୁଚାରୁ ଭାବରେ ସରକାର ଚଳାଇବାକୁ ଦେଉନାହାନ୍ତି । ଏହା ଥିଲା ଶାସକ ଦଳ ଭିତରେ ରହିଥିବା ଅନ୍ତର୍କନ୍ଦଳର ସ୍ପଷ୍ଟ ସଂକେତ ।
ହୁଏତ ସେ ନିଜ ଦଳ ଭିତରେ ତାଙ୍କ ସମାଲୋଚକମାନଙ୍କ ବିରୋଧରେ ଯାଇ ନିଜ ସପକ୍ଷରେ ସମର୍ଥନ ଜୁଟାଇ ପାରିଥାଆନ୍ତେ କିମ୍ବା ଦଳ ପାଇଁ ଗ୍ରହଣଯୋଗ୍ୟ ଅନ୍ୟ ଜଣେ ନେତାଙ୍କୁ ବାଟ ଛାଡ଼ି ଦେବା ଉଚିତ ହୋଇଥାଆନ୍ତା ।ତାଙ୍କ ଦଳ ଭିତରେ ଓଲିଙ୍କ ପ୍ରତିଦ୍ବନ୍ଦ୍ବୀମାନେ ହେଲେ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ଏବଂ ମାଧବ କୁମାର ‘ନେପାଲ’ । ଓଲିଙ୍କୁ ସମାଲୋଚନା କରିବା ସହିତ ସେମାନେ ଅଭିଯୋଗ କରନ୍ତି ଯେ, କ୍ଷମତା ବଣ୍ଟନ ଲାଗି ପୂର୍ବରୁ ହୋଇଥିବା ବୁଝାମଣାକୁ ଅମାନ୍ୟ କରି ବିଭିନ୍ନ ସାମ୍ବିଧାନିକ ସଂସ୍ଥା ଏବଂ ନିଷ୍ପତ୍ତି ଗ୍ରହଣ କ୍ଷମତା ଥିବା ପ୍ରମୁଖ ସଂସ୍ଥାଗୁଡ଼ିକୁ ନିୟନ୍ତ୍ରଣ କରିବା ନିମନ୍ତେ ଓଲି ନିଜ ହାତରେ ସବୁ କ୍ଷମତା ଠୁଳ କରିଥିଲେ । ଏହା ଫଳରେ ପ୍ରଶାସନରେ ଅନିୟନ୍ତ୍ରିତ ଦୁର୍ନୀତି ପାଇଁ ବାଟ ଖୋଲିଗଲା ଏବଂ ସରକାର ଚଳାଇବାରେ ଓଲିଙ୍କ ସଂପୂର୍ଣ୍ଣ ଅପାରଗତା ପଦାରେ ପଡ଼ିଗଲା ।
ଓଲିଙ୍କ ଏଭଳି ପଦକ୍ଷେପ ପଛରେ କ୍ଷମତା ପ୍ରତି ତାଙ୍କର ଲୋଭ ରହିଥିବା କାରଣରୁ ନେପାଳର ବିଭିନ୍ନ ମହଲ ଅନୁମାନ କରନ୍ତି ଯେ, ସେ ହୁଏତ ନିର୍ବାଚନକୁ ସ୍ଥଗିତ ରଖିପାରନ୍ତି ଏବଂ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିପାରନ୍ତି । ହୁଏତ ସମ୍ବିଧାନକୁ ଧ୍ବଂସ କରିଦିଆଯାଇପାରେ ଏବଂ ଦେଶକୁ ରାଜନୈତିକ ଅସ୍ଥିରତାର ଏକ ଦୀର୍ଘ ପର୍ଯ୍ୟାୟ ଭିତରକୁ ଟାଣିନିଆଯାଇପାରେ । ଓଲିଙ୍କ ଏହି ପଦକ୍ଷେପ ଯୋଗୁଁ ନେପାଳ ରାଜନୀତି ଆହୁରି ଖଣ୍ଡବିଖଣ୍ଡିତ ହେବାରେ ଲାଗିଛି ଏବଂ ନୂତନ ରାଜନୈତିକ ଶକ୍ତି ଆତ୍ମପ୍ରକାଶ କରିବା ସହିତ ସେମାନଙ୍କ ମଧ୍ୟରେ ମେଣ୍ଟ ଗଠିତ ହୋଇଛି । ନିଜ ଦଳ ଭିତରେ ଓଲିଙ୍କ ପ୍ରତି ଖୁବ୍ କମ ସଂଖ୍ୟକ ସଦସ୍ୟଙ୍କର ସମର୍ଥନ ରହିଛି ଏବଂ ଦଳ ତାଙ୍କୁ ବହିଷ୍କାର କରିବା ପରେ ବିଭାଜିତ ହେବାର ଆଶଙ୍କା ଉପୁଜିଛି ।
ଦଳ ବିଭାଜନର ଏହି ପ୍ରକ୍ରିୟା ବିଭିନ୍ନ ପ୍ରଦେଶ ଓ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ବ୍ୟାପିଯାଇଥିବା ପରିଲକ୍ଷିତ ହୋଇଛି । ତେବେ, ଏ ପର୍ଯ୍ୟନ୍ତ ‘ପ୍ରକୃତ’ ଦଳକୁ ସ୍ବୀକୃତି ଦେବା ଲାଗି ନିର୍ବାଚନ କମିଶନ ମନା କରିଦେଇଛନ୍ତି । ନେପାଳର ମୁଖ୍ୟ ବିରୋଧୀ ଦଳ ନେପାଳୀ କଂଗ୍ରେସ ମଧ୍ୟ ଆଭ୍ୟନ୍ତରୀଣ ଭାବରେ ଖଣ୍ଡବିଖଣ୍ଡିତ ସ୍ଥିତିରେ ରହିଥିବା ବେଳେ ସଂପ୍ରତି ଲାଗି ରହିଥିବା ଦ୍ବନ୍ଦ୍ବାତ୍ମକ ସ୍ଥିତିର ମୁକାବିଲା କିପରି କରିବ ବୋଲି ଦ୍ବିଧାଗ୍ରସ୍ତ ଅବସ୍ଥାରେ ରହିଛି । ଏହି ପରିସ୍ଥିତିର ସୁଯୋଗ ନେବା ପାଇଁ ଗାଦିଚ୍ୟୁତ ରାଜତନ୍ତ୍ର ନେତୃତ୍ବରେ ପରିଚାଳିତ ବିଭିନ୍ନ ସାମନ୍ତବାଦୀ ଶକ୍ତି ଏବଂ ହିନ୍ଦୁ ରାଷ୍ଟ୍ର ଗଠନ ଦାବି କରିଆସୁଥିବା ହିନ୍ଦୁତ୍ବ ବିଚାରଧାରାର ଗୋଷ୍ଠୀ ଏକଜୁଟ ହେବାରେ ଲାଗିଛନ୍ତି ।
ଏଭଳି ସ୍ଥିତିରେ ବିଭାଜିତ କ୍ଷୁଦ୍ର ମଧେଶୀ ଗୋଷ୍ଠୀଗୁଡ଼ିକ ମଧ୍ୟ ରାଜନୈତିକ ହାୱାକୁ ସେମାନଙ୍କ ସପକ୍ଷରେ ନେବାର ସମ୍ଭାବନା ଆକଳନ କରୁଛନ୍ତି । ଶାସନ ତନ୍ତ୍ର ଉପରେ କର୍ତ୍ତୃତ୍ବ ବଜାୟ ରଖିବା ଓଲିଙ୍କ ପାଇଁ ଦିନକୁ ଦିନ କଷ୍ଟକର ହେଉଥିବା ବେଳେ ତାଙ୍କ ବିରୋଧୀ କମ୍ୟୁନିଷ୍ଟ ପାର୍ଟିର ମୁକାବିଲା ନିମନ୍ତେ ସେ ହୁଏତ ନେପାଳୀ କଂଗ୍ରେସର ଏକ ବିଭାଜିତ ଗୋଷ୍ଠୀ କିମ୍ବା ହିନ୍ଦୁତ୍ବ ସପକ୍ଷବାଦୀ ଶକ୍ତି ସହିତ ହାତ ମିଳାଇପାରନ୍ତି । ଯଦି ଏପରି ହୁଏ, ତେବେ କାହା ସହିତ ହାତ ମିଳାଇ ସେ ସଫଳ ହେବେ, ସେ କଥା କେହି ଜାଣନ୍ତି ନାହିଁ । ସେ ହୁଏତ ଅନ୍ତର୍ନିହିତ ଭାବରେ ଦୁର୍ବଳ ସ୍ଥିତିରେ ଥିବା ତାଙ୍କ ବିରୋଧୀ ପ୍ରଚଣ୍ଡ-ନେପାଳ ଗୋଷ୍ଠୀର ବିଭାଜନ କରି ସମର୍ଥନ ହାସଲ କରିପାରନ୍ତି ।
ପ୍ରଚଣ୍ଡଙ୍କ ନେତୃତ୍ବାଧୀନ ମାଓବାଦୀ ଏବଂ ନେପାଲ ଓ ଖନଲଙ୍କ ନେତୃତ୍ବାଧୀନ ୟୁନାଇଟେଡ୍ ମାର୍କସିଷ୍ଟ ଲେନିନିଷ୍ଟ ଦଳ ମଧ୍ୟରେ ଲାଗି ରହିଥିବା ଶତ୍ରୁତା ତୃଣମୂଳ ସ୍ତର ପର୍ଯ୍ୟନ୍ତ ବ୍ୟାପିଛି । କ୍ଷମତା ହାସଲ ପାଇଁ ପ୍ରଚଣ୍ଡଙ୍କ ବ୍ୟାକୁଳତା ଏବଂ ଏକ ଆଜ୍ଞାବହ କମ୍ୟୁନିଷ୍ଟ ସରକାର ଗଠନ ଦିଗରେ ଚୀନର ଗଭୀର ପ୍ରୟାସ ବଳରେ ହିଁ 2017-18ରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା ଯେ ମାଓବାଦୀ ଏବଂ ୟୁଏମ୍ଏଲ୍ ଦଳର ବିଭିନ୍ନ ଗୋଷ୍ଠୀ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଲ ନାମକ ଗୋଟିଏ ମିଳିତ କମ୍ୟୁନିଷ୍ଟ ପାର୍ଟି ଗଠନ କରିବାରେ ସକ୍ଷମ ହୋଇଥିଲେ ।
ନେପାଳରେ ଏଭଳି ଏକ ବିଭ୍ରାନ୍ତକାରୀ ସ୍ଥିତିରେ, ଆଗାମୀ ଦିନ ଓ ମାସଗୁଡ଼ିକରେ ହୁଏତ ରାଜରାସ୍ତାରେ ଅଧିକରୁ ଅଧିକ ଶକ୍ତି ପ୍ରଦର୍ଶନ, ସୁବିଧାବାଦୀ ସମୀକରଣ ଏବଂ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇପାରେ । ରଣନୈତିକ ଏବଂ ଅର୍ଥନୈତିକ ଦୃଷ୍ଟିରୁ ନେପାଳର ବିଭିନ୍ନ କ୍ଷେତ୍ରରେ ଉଭୟ ଚୀନ ଓ ଭାରତର ବ୍ୟୟବହୁଳ ଭାଗିଦାରୀ ରହିଥିବାରୁ ଉଭୟ ଦେଶ ସେଠାକାର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ନେପାଳରେ ସରକାର ପରିବର୍ତ୍ତନ ନିମନ୍ତେ ଭାରତ ଓ ଚୀନ ଉଭୟ ସେମାନଙ୍କ ଉଦ୍ୟମରେ ପ୍ରତିଯୋଗିତା ଜାରି ରଖିଛନ୍ତି ଏବଂ ସେଠାରେ ଏକ ବନ୍ଧୁତ୍ବପୂର୍ଣ୍ଣ, ଭରସାଯୋଗ୍ୟ ଏବଂ ନିଜ ନିଜ ଦୃଷ୍ଟିକୋଣରୁ ସ୍ବାର୍ଥାନୁକୂଳ ସରକାର ଗଠନ ହେଉ ବୋଲି ଚାହୁଁଛନ୍ତି । ଚୀନର ଅଭିସନ୍ଧି ବଳରେ ଗଠିତ ମିଳିତ କମ୍ୟୁନିଷ୍ଟ ପାର୍ଟି ସରକାରର ପତନ ଘଟିଥିବାରୁ ଭାରତ ଖୁସି ।
ହେଲେ ଏଥିରୁ କି ନିଷ୍କର୍ଷ ବାହାରିବ ବୋଲି ଏକ ବିରାଟ ପ୍ରଶ୍ନବାଚୀ ଲାଗି ରହିଛି । ନେପାଳରେ ହିନ୍ଦୁତ୍ବ ଏବଂ ରାଜତନ୍ତ୍ର ପରିଚାଳିତ ଶକ୍ତି ଶାସନ କ୍ଷମତାକୁ ଫେରିଆସୁ ବୋଲି ଭାରତର ଶାସକ ଗୋଷ୍ଠୀରେ ଥିବା କେତେକ ବର୍ଗ ହୁଏତ ଚାହିଁ ପାରନ୍ତି । ସେମାନଙ୍କ ଆକଳନ ଅନୁସାରେ, ଏଭଳି ହେଲେ ‘ଈଶ୍ବର-ବିହୀନ’ କମ୍ୟୁନିଷ୍ଟ ଏବଂ ପଥଚ୍ୟୁତ ଗଣତନ୍ତ୍ରବାଦୀ ପ୍ରାର୍ଥୀମାନଙ୍କର ମୁକାବିଲା ଲାଗି ସୁଯୋଗ ମିଳିବ । ହେଲେ, ଏଠାରେ ସ୍ମରଣଯୋଗ୍ୟ ଯେ, ଏକଦା ରାଜତନ୍ତ୍ର ଦ୍ବାରା ପରିଚାଳିତ ତଥା ହିନ୍ଦୁତ୍ବ ବିଚାରଧାରାକୁ ସମର୍ଥନ କରୁଥିବା ନେପାଳ ମଧ୍ୟ ରାଜନୈତିକ ସ୍ଥିରତା ସ୍ଥାପନରେ ଏବଂ ନେପାଳୀମାନଙ୍କ ବିକାଶ ସାଧନରେ ବିଫଳ ହୋଇଥିଲା ଏବଂ ଚୀନ ଓ ପାକିସ୍ତାନକୁ ସେମାନଙ୍କ ରଣକୌଶଳ ଭିତ୍ତିକ ସ୍ବାର୍ଥସାଧନ ଉଦ୍ୟମରୁ ନିବୃତ୍ତ କରିପାରି ନଥିଲା ।
ନେପାଳରେ ଅସ୍ଥିରତା ଲାଗି ରହିଥିବା ବେଳେ ଭାରତକୁ ସତର୍କତାର ସହ ପଦକ୍ଷେପ ନେବାକୁ ପଡ଼ିବ । ଅତୀତର ରାଜନୈତିକ ଗୋଟିଚାଳନା କାରଣରୁ ହିଁ ନେପାଳରେ ଭାରତ ବିରୋଧୀ ଜାତୀୟତାବାଦକୁ ରାଜନୈତିକ ଦୃଷ୍ଟିକୋଣରୁ ପ୍ରୋତ୍ସାହନ ମିଳିଥିଲା ଏବଂ ଏଥିପାଇଁ ଭାରତକୁ ବହୁମୂଲ୍ୟ ଦେବାକୁ ପଡ଼ିଛି । ତେଣୁ, ନେପାଳର ଅଶାନ୍ତିପୂର୍ଣ୍ଣ ଘରୋଇ ରାଜନୀତିରୁ ଦୂରେଇ ରହିବା, ଏହା ଉପରେ ତୀକ୍ଷ୍ଣ ନଜର ରଖିବା ଏବଂ ନେପାଳର ବିଭିନ୍ନ ରାଜନୈତିକ ସଂସ୍ଥାରେ ସ୍ଥିରତା ନ ଆସିବା ଯାଏଁ କାଠମାଣ୍ଡୁର ଯେ କୌଣସି ପ୍ରସ୍ତାବକୁ ପରଖି ନେବା ହିଁ ଶ୍ରେୟସ୍କର ମନେହୁଏ । ନେପାଳର ରାଜନୈତିକ ଅଶାନ୍ତିରେ ଚୀନର ସ୍ବାର୍ଥାନ୍ବେଷୀ ଭୂମିକାକୁ ନେଇ ବିଚଳିତ ହେବାର କୌଣସି ଆବଶ୍ୟକତା ନାହିଁ । କାରଣ, ଏଥିପାଇଁ ଭବିଷ୍ୟତରେ ସେମାନଙ୍କୁ ହିଁ ମୂଲ୍ୟ ଦେବାକୁ ପଡ଼ିବ ।