ହଂକଂ: ଦୀର୍ଘଦିନର କଟକଣା ପରେ ଶୁକ୍ରବାରଠାରୁ ହଂକଂରେ କୋହଳ ହେବାକୁ ଯାଉଛି ସାମାଜିକ ଦୂରତା ନିୟମ । ମଙ୍ଗଳବାର ଏନେଇ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କ୍ୟାରି ଲାମ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ମେ 8, ଶୁକ୍ରବାରଠାରୁ ଦେଶରେ ସାମାଜିକ ଦୂରତା ନିୟମ କୋହଳ କରାଯିବ । ଏଥିସହ ଦେଶର ବିଭିନ୍ନ ସହରରେ ବାର, ରେସ୍ତୋରାଁ ଓ ସ୍କୁଲ ଆଦି ମଧ୍ୟ ଖୋଲାଯିବାର ନିଷ୍ପତ୍ତି ନିଆଯାଇଛି ।
କେତେକ ମନୋରଞ୍ଜନଭିତ୍ତିକ ସ୍ଥାନ ଯଥା ଜିମ, ବିୟୁଟି ସେଲୁନ ଓ ମାଜୋଙ୍ଗ ଲାଉଞ୍ଜ ଆଦି ଶୁକ୍ରବାର ଠାରୁ ଖୋଲିବା ନେଇ ଘୋଷଣା କରାଯାଇଛି । ଏହି ସବୁ ସ୍ଥାନମାନଙ୍କରେ ସାମାଜିକ ଦୂରତା ନିୟମ ସାମାନ୍ୟ କୋହଳ ହେଲେ ସୁଦ୍ଧା ଏହା କାର୍ଯ୍ୟକାରୀ ରହିବ । ସେପଟେ ମେ 27ରୁ କ୍ରମଶଃ ସ୍କୁଲ ଆଦି ଖୋଲାଯିବ । ସ୍କୁଲ ଓ କଲେଜମାନଙ୍କରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଆଦି ନିୟମକୁ ବଳବତ୍ତର ରଖାଯିବ ।
ତେବେ ଖୋଲିବାକୁ ଥିବା ବାର, ରେସ୍ତୋରାଁ ଗୁଡିକରେ 8ରୁ ଅଧିକ ଲୋକେ ଏକାଠି ବସିପାରିବେ ନାହିଁ ବୋଲି ନିୟମ କରାଯାଇଛି । ପୂର୍ବରୁ ଏହା 4 ରହିଥିବା ବେଳେ ପରିସ୍ଥିତିକୁ ନଜରରେ ରଖି ଏହା ପରିବର୍ତ୍ତନ କରାଯାଇଛି । ଏଥିସହ ବାର ଗୁଡିକରେ କୌଣସି ମ୍ୟୁଜିକାଲ ଇଭେଣ୍ଟ ନକରିବା ପାଇଁ ମଧ୍ୟ କଡା ନିର୍ଦ୍ଦେଶ ରହିଛି । ଗତ 16 ଦିନ ହେବ ହଂକଂରେ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନଥିବାରୁ ସାମାଜିକ ଦୂରତା ନିୟମ କୋହଳ କରିବାର ନିଷ୍ପତ୍ତି ନିଆଯାଇଥିବା କ୍ୟାରି ସୂଚନା ଦେଇଛନ୍ତି ।
@IANS