ଜାକର୍ତ୍ତା: ଇଣ୍ଡୋନେସିଆରେ ଲଗାତର ବର୍ଷା ଯୋଗୁଁ ଏକାଧିକ ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ 55 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି ବୋଲି ଦେଶର ବିପର୍ଯ୍ୟୟ ଏଜେନ୍ସି ସୂଚନା ଦେଇଛନ୍ତି । ଅନ୍ୟପଟେ 40ରୁ ଅଧିକ ଲୋକ ନିଖୋଜ ଅଛନ୍ତି ।
ପୂର୍ବ ଇଣ୍ଡୋନେସିଆର ଲମେନିଲି ଗ୍ରାମରେ ପ୍ରାୟ ମଧ୍ୟରାତ୍ରି ସମୟରେ ଗ୍ରାମକୁ ଘେରି ରହିଥିବା ପାହାଡ ତଳ ଭାଗରୁ ମାଟି ଖସି 12ଟି ଘର ଉପରେ ପଡିଥିଲା । ତେବେ ଏହି ଘଟଣାରେ 38 ଜଣ ପ୍ରାଣ ହରାଇଥିବା ବେଳେ 5 ଜଣ ଗୁରୁତର ଆହତ ହୋଇଥିବା ସ୍ଥାନୀୟ ବିପର୍ଯ୍ୟୟ ଏଜେନ୍ସିର ମୁଖ୍ୟ ଲେନି ଓଲା ସୂଚନା ଦେଇଛନ୍ତି । ଏହାସହିତ ବନ୍ୟା ଯୋଗୁଁ 17 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 42 ଜଣ ନିଖୋଜ ରହିଛନ୍ତି । ବିଦ୍ୟୁତ କାଟ, କାଦୁଅ ଏବଂ ଆବର୍ଜନାରେ ରାସ୍ତା ଅବରୋଧ ହେବା ସହିତ ସମୁଦ୍ର ତଥା ଉଚ୍ଚ ତରଙ୍ଗ ଦ୍ୱାରା ଘେରି ରହିଥିବା ଦ୍ୱୀପରେ ଦୂରତା ଥିବାରୁ ରିଲିଫ କାର୍ଯ୍ୟରେ ବାଧା ଉପୁଜୁଛି ବୋଲି ଏଜେନ୍ସି ମୁଖପାତ୍ର ରାଦିତ୍ୟ ଜତି କହିଛନ୍ତି ।
ବନ୍ୟା ପରେ ଉଦ୍ଧାର କାର୍ଯ୍ୟ ସମୟରେ ଓୟାଙ୍ଗ ବାୟାଙ୍ଗ ଗ୍ରାମରୁ 3 ଜଣଙ୍କୁ ମୃତଦେହକୁ ଉଦ୍ଧାର କରାଯାଇଛି । ବନ୍ୟା ଯୋଗୁଁ ଏହି ଅଞ୍ଚଳରେ 40ଟି ଘର ଭୁଶୁଡି ପଡିଛି । ପ୍ରାୟ ଶତାଧିକ ଲୋକ ଜଳମଗ୍ନ ଘରୁ ଅନ୍ୟତ୍ର ପଳାଇଯାଇଥିବା ବେଳେ କିଛି ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ଲେମ୍ବାଟା ଦ୍ବୀପରେ ଏହି ବିପର୍ଯ୍ୟୟରେ 11 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 16 ଜଣଙ୍କୁ ଥଣ୍ଡା ଲାଭା ତଳୁ ଉଦ୍ଧାର କରାଯାଇଛି ବୋଲି ଜତି କହିଛନ୍ତି । ନଭେମ୍ବରରେ ଆଗ୍ନେୟଗିରି ବିସ୍ଫୋରଣ ହେବା ପରେ ଏହି ଲାଭା ସୃଷ୍ଟି ହୋଇଥିଲା ।
ରବିବାର ସୁଦ୍ଧା ଉଦ୍ଧାର କାର୍ଯ୍ୟରେ ପ୍ରାୟ 100 ଜଣିଆ ଟିମ ଲାଗିଥିବା ଜତି କହିଛନ୍ତି । ତେବେ ସୂଚନା ଥାଉ କି ଇଣ୍ଡୋନେସିଆରେ ମୌସୁମୀ ବର୍ଷା ବାରମ୍ବାର ବନ୍ୟା ପରିସ୍ଥିତି ଏବଂ ଭୂସ୍ଖଳନ ଘଟାଇଥାଏ । ଦେଶର ପ୍ରାୟ 17 ହଜାର ଦ୍ୱୀପପୁଞ୍ଜ ମଧ୍ୟରୁ ଏକାଠି ଚେନ ଭଳି ଲାଗି ରହିଥିବା ଦ୍ବୀପର ପାର୍ବତ୍ୟ ଅଞ୍ଚଳରେ ଲକ୍ଷାଧିକ ଲୋକ ବାସ କରିଥାନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ