କାବୁଲ: ଆଫଗାନିସ୍ତାନରେ ତାଲିବାନ ଏବଂ ଆଫଗାନ ସରକାରଙ୍କ ମଧ୍ୟରେ ହେବାକୁ ଥିବା ଶାନ୍ତିବାର୍ତ୍ତାକୁ ଶକ୍ତ ଝଟକା ଲାଗିଛି । ଦେଶରେ ଶାନ୍ତିର ପୁନରୁଦ୍ଧାର ପାଇଁ ସରକାର 5000 ତାଲିବାନ ଆତଙ୍କବାଦୀଙ୍କୁ ମୁକ୍ତ କରିଥିଲେ। ହେଲେ ଏବେ ତାଲିବାନ ନିଜ କଥାରୁ ଓହରି ଯାଇଛି। ସେ ଆଶରଫ ଘାନି ସରକାରଙ୍କୁ ଗ୍ରହଣ କରିବାକୁ ମନା କରିଦେଇଛି। ଆମେ ଏହି ସରକାରକୁ ବୈଧ ମନେ କରୁନାହୁଁ କିମ୍ବା ଏହାକୁ ସ୍ବୀକୃତି ଦେଉ ନାହୁଁ ବୋଲି ତାଲିବାନ କହିଛି।
ଶାନ୍ତି ଫେରାଇ ଆଣିବାକୁ ଯେକୌଣସି ପ୍ରୟାସ ସେତେବେଳେ ଆରମ୍ଭ ହେବ ଯେତେବେଳେ ଦେଶରେ ଇସଲାମ ସରକାର ଉପରେ ଆଲୋଚନା ହେବ ବୋଲି ତାଲିବାନ ପକ୍ଷରୁ କୁହାଯାଇଛି। ତେବେ ନିକଟରେ ଆଫଗାନିସ୍ତାନରେ 400 ଆତଙ୍କବାଦୀଙ୍କୁ ମୁକ୍ତ କରାଯାଇଥିଲା। ଏହି ସପ୍ତାହରେ ହିଁ କତାରରେ ଶାନ୍ତିବାର୍ତ୍ତା ଅନୁଷ୍ଠିତ ହେବାର ଅଛି। ଯେଉଁଥିରେ ତାଲିବାନ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ତେବେ ବର୍ତ୍ତମାନ ତାଲିବାନ ଏହି ପ୍ରତିଶ୍ରୁତି ପ୍ରତ୍ୟାହାର କରି ନେଇଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି । ଇସଲାମିକ ଏମିରେଟ୍ (ତାଲିବାନ) କାବୁଲ ପ୍ରଶାସନକୁ ସରକାର ଭାବେ ଗ୍ରହଣ କରୁନାହିଁ। କାରଣ କାବୁଲ ପ୍ରଶାସନ ଆମେରିକାର ଇସାରାରେ ଏବଂ ତାର ବିସ୍ତାର ପାଇଁ କାର୍ଯ୍ୟ କରୁଥିବା ତାଲିବାନ ପକ୍ଷରୁ କୁହାଯାଇଛି ।
ଏକ ସାକ୍ଷାତକାରରେ ତାଲିବାନ ମୁଖପାତ୍ର ସୁହେଲ ଶାହିନ କହିଛନ୍ତି , ଆଫଗାନିସ୍ତାନ ଯୁଦ୍ଧ ହେଉଛି ତାଲିବାନର ବିଜୟ। ଆମେ ଆଫଗାନିସ୍ତାନ ସରକାରକୁ ମାନ୍ୟତା ଦେଉନାହୁଁ । ଯେତେବେଳେ ଆଫଗାନିସ୍ତାନରେ ଏକ ଇସଲାମିକ ସରକାର ଗଠନ ହେବା ଉପରେ ଆଲୋଚନା ହେବ ସେତେବେଳେ ଆମେ ଶାନ୍ତିବାର୍ତ୍ତାରେ ସାମିଲ ହେବୁ ବୋଲି ସେ କହିଛନ୍ତି ।
ସେପଟେ ଏହାର ଜବାବ ଦେଇ ଆଫଗାନିସ୍ତାନର ରାଷ୍ଟ୍ରପତି ଭବନ କହିଛି, ତାଲିବାନ ସମୟ ନଷ୍ଟ କରୁଛି ଏବଂ ଅପ୍ରାସଙ୍ଗିକ ବାହାନା କରୁଛି। ସରକାର 5 ହଜାର କଏଦୀଙ୍କୁ ମୁକ୍ତ କରି ନିଜ ପ୍ରତିଶୃତି ପୂରଣ କରିଛି । ଏବେ ତାଲିବାନର ପାଳି ଆସିବା ବେଳକୁ ସେ ନିଜ ପ୍ରତିଶୃତିରୁ ଓହରି ଯାଇଛି ।
ତାଲିବାନର ଏହି ବିବୃତ୍ତି ଏଭଳି ସମୟରେ ଆସିଛି ଯେତେବେଳେ ଶାନ୍ତିବାର୍ତ୍ତା ପାଇଁ ବାଟ ଖୋଲିବ ବୋଲି ଆଶା କରାଯାଉଥିଲା ।