କାବୁଲ: ଆଫଗାନିସ୍ତାନ ସରକାର ଏବଂ ତାଲିବାନ ମଧ୍ୟରେ ଶାନ୍ତିବାର୍ତ୍ତା ହେବାପରେ ଦେଶରେ ଶାନ୍ତି ଫେରିବ ବୋଲି ଆଶା କରାଯାଉଥିଲା । ହେଲେ ଏହି ଶାନ୍ତିବାର୍ତ୍ତା ପୂର୍ବରୁ ସରକାର ଏବଂ ତାଲିବାନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ପୂର୍ବରୁ ଆଫଗାନ ସରକାରଙ୍କୁ ମାନ୍ୟତା ଦେବାକୁ ମନା କରିଥିଲା ତାଲିବାନ । ଆଉ ଏବେ ତାଲିବାନ କଏଦୀଙ୍କୁ ମୁକ୍ତ କରିବା ନେଇ ବଡ ବୟାନ ଦେଇଛନ୍ତି ଆଶରଫ ଘାନିଙ୍କ ନେତୃତ୍ବାଧୀନ ସରକାର । ଯେପର୍ଯ୍ୟନ୍ତ ତାଲିବାନ 20 ଜଣ ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କୁ ମୁକ୍ତ ନକରିଛି ସେପର୍ଯ୍ୟନ୍ତ 400 କଏଦୀ ମଧ୍ୟରୁ ଅବଶିଷ୍ଟ 320 କଏଦୀଙ୍କୁ ମୁକ୍ତ କରିବା ପ୍ରକ୍ରିୟା ଚୂଡାନ୍ତ ହେବନାହିଁ ବୋଲି ସରକାର କହିଛନ୍ତି ।
ତାଲିବାନ କଏଦୀଙ୍କ ମୁକ୍ତି ସମ୍ପର୍କରେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛନ୍ତି। କାରଣ ଏହି ତାଲିବାନ କଏଦୀଙ୍କ ମଧ୍ୟରୁ 6 ଜଣ ଆମେରିକା, ଫ୍ରାନ୍ସ ଏବଂ ଅଷ୍ଟ୍ରେଲିଆର ନାଗରିକଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ ଅଛନ୍ତି । ତେଣୁ ସେମାନଙ୍କ ମୁକ୍ତିକୁ ନେଇ ଏହି ଦେଶ ବିରୋଧ କରୁଛନ୍ତି ।
ତେବେ ତାଲିବାନର ନିକଟ ସୂତ୍ରରୁ ପ୍ରକାଶ ଯେ, ଚଳିତ ବର୍ଷ ଆରମ୍ଭରେ ଦୋହାରେ ଦୁଇ ପକ୍ଷ ମଧ୍ୟରେ ସ୍ବାକ୍ଷର ହୋଇଥିବା ଶାନ୍ତି ଚୁକ୍ତି ଅନୁଯାୟୀ ଆମେରିକା ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛି। ତାଲିବାନର ଜଣେ ମୌଲବୀ କାଲାମୁଦ୍ଦିନଙ୍କ ଅନୁଯାୟୀ, ଆମେ ଆମେରିକୀୟମାନଙ୍କୁ ସେମାନଙ୍କ ପ୍ରତିଶ୍ରୁତି ପାଳନ କରିବାକୁ ଏବଂ ସେମାନଙ୍କ ସହଯୋଗୀଙ୍କୁ ବିଶ୍ବାସ କରିବାକୁ ଆହ୍ବାନ କରୁଛୁ ବୋଲି ସେ କହିଛନ୍ତି ।
ଏହା ପୂର୍ବରୁ ତାଲିବାନ ଆଶରଫ ଘାନି ସରକାରଙ୍କୁ ଗ୍ରହଣ କରିବାକୁ ମନା କରିଦେଇଥିଲା। ଆମେ ଏହି ସରକାରକୁ ବୈଧ ମନେ କରୁନାହୁଁ କିମ୍ବା ଏହାକୁ ସ୍ବୀକୃତି ଦେଉ ନାହୁଁ ବୋଲି ତାଲିବାନ କହିଥିଲା ।