ହଂକଂ: ଶୁକ୍ରବାର ହଂକଂରେ କୋରୋନା ଲକଡାଉନ କଟକଣା କୋହଳ ହେବା ପରେ ବି ଏଠାରେ ଦେଖିବାକୁ ମିଳିଛି ସକାରାତ୍ମକ ପ୍ରଭାବ । ଶନିବାର ଲଗାତାର 20ତମ ଦିନ ପାଇଁ ହଂକଂରେ କୌଣସି କୋରୋନା ସଂକ୍ରମଣର ନୂଆ ମାମଲା ଦେଖାଯାଇନଥିବା ଜଣା ପଡିଛି । ସେପଟେ ଶନିବାର ଏଠାରେ 4 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଥିବା ରେକର୍ଡ ହୋଇଛି । ବାହାର ଦେଶରୁ ଆସି କୋରୋନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସହ ହଂକଂରେ ମୋଟ କୋରୋନା ଆକ୍ରାନ୍ତ ସଂଖ୍ୟା 1044ରେ ପହଞ୍ଚିଛି ।
ହଂକଂ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ କହିବା ଅନୁଯାୟୀ ଯଦି ଦେଶରେ ଏପରି ଅବସ୍ଥା 28 ଦିନ ପର୍ଯ୍ୟନ୍ତ ଜାରି ରୁହେ, ତେବେ ଦେଶ କୋରୋନାରୁ ମୁକ୍ତ ବୋଲି କୁହାଯାଇପାରେ । ସେପଟେ ଶୁକ୍ରବାର କୋରୋନା ଲକଡାଉନ କୋହଳ କରାଯାଇ ହଂକଂରେ ଜିମ, ସେଲୁନ, ବିୟୁଟି ପାର୍ଲର, ବାର, ରେସ୍ତୋରାଁ ଓ ଅନ୍ୟ ଜନସାଧାରଣ ସ୍ଥାନଗୁଡିକ ଖୋଲା ଯାଇଛି । ସାମାଜିକ ଦୂରତାକୁ ମଧ୍ୟ କିଛି ମାତ୍ରାରେ କୋହଳ କରାଯାଇଛି । ରେସ୍ତୋରାଁରେ 4 ଜଣଙ୍କ ବଦଳରେ 8 ଜଣ ବସିବା ପାଇଁ ଅନୁମତି ଦିଆଯାଇଛି । ଏଥିସହ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି ।
ତେବେ ଚୀନରୁ ହଂକଂ ଆସୁଥିବା ବ୍ୟକ୍ତିଙ୍କୁ ବି 14 ଦିନିଆ କ୍ବାରେଣ୍ଟାଇନରେ ରହିବାର ନିୟମ ଲାଗୁ କରାଯାଇଛି ।
@IANS