ବେଜିଂ: ଦେଶରେ ବନ୍ୟା ମୁକାବିଲା ପାଇଁ ବିପର୍ଯ୍ୟୟ ପରିଚାଳନାକୁ ଦ୍ବିତୀୟ ସର୍ବାଧିକ ସ୍ତରକୁ ବୃଦ୍ଧି କରିଛି ଚୀନ । ଦେଶରେ ଲଗାଣ ବର୍ଷା ପାଇଁ ଅବସ୍ଥା ବେହାଲ ହେବାରେ ଲାଗିଥିବାରୁ ରବିବାର ଏନେଇ ନିଷ୍ପତ୍ତି ନେଇଛି ଚୀନ । ତେବେ ନିଆଯାଇଥିବା ପଦକ୍ଷେପ ବିପର୍ଯ୍ୟୟ ପରିଚାଳନାରେ ସର୍ବାଧିକ ସ୍ତର ବୋଲି କୁହାଯାଉଛି । ସେପଟେ ଜୁଲାଇ 4ରୁ ଦେଶରେ ଲଗାଣ ବର୍ଷା ପାଇଁ 212ଟି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଣା ପଡିଛି ।
ଚୀନରେ ଲଗାଣ ବର୍ଷା ପାଇଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । 212ଟି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 19ଟି ନଦୀରେ ଜଳସ୍ତର ଗତବର୍ଷର ରେକର୍ଡ ଭାଙ୍ଗିଥିବା ଦେଖାଯାଇଛି । ଏନେଇ ସୂଚନା ଦେଇଛି ଜାତୀୟ ଜଳସମ୍ପଦ ବିଭାଗ । ରବିବାର ଅପରାହ୍ନ ସୁଦ୍ଧା ଦେଶର 27ଟି ପ୍ରାନ୍ତରେ ଜଳରାଶି ଫୁଲି ଉଠିଥିବା ଦେଖାଯାଇଥିଲା । ମୁଖ୍ୟତଃ ଜିଆଙ୍ଗସି, ଆହ୍ନୁଇ ଓ ହୁବେଇ ପ୍ରାନ୍ତରେ ଏପରି ସ୍ଥିତି ସୃଷ୍ଟି ହୋଇଥିବା ଦେଖାଯାଇଛି । ଫଳରେ ବର୍ତ୍ତମାନ ସୁଦ୍ଧା 141 ଜଣ ବାସିନ୍ଦାଙ୍କର ନିଖୋଜ ବା ମୃତ୍ୟୁ ହୋଇସାରିଛି । ଏଥିସହ ବନ୍ୟା ସ୍ଥିତି ପାଇଁ 2.25 ମିଲିୟନ ଲୋକେ ପ୍ରଭାବିତ ହୋଇଥିବା ଦେଖାଯାଇଛି ।
ବର୍ତ୍ତମାନ ସୁଦ୍ଧା ଦେଶରେ ବନ୍ୟା ଯୋଗୁଁ 28,000 ଘର ପ୍ରଭାବିତ ହୋଇଥିବା ବେଳଏ 3.53 ମିଲିୟନ କ୍ଷେତ ବନ୍ୟା ପାଣିରେ ଧୋଇ ହୋଇ ଯାଇଛି । ଯାହା ଦେଶର ଅର୍ଥନୀତିରେ 82.23 ବିଲିୟନ ୟାନ ବା 11ବିଲିୟନ ଡଲାରର କ୍ଷତି ସୃଷ୍ଟି କରିଛି । ସେପଟେ ଜଳ ସମ୍ପଦ ବିଭାଗର ସୂଚନା ମୁତାବକ ବିଗତ 15 ଦିନ ହେବ ଦେଶର ଦ୍ବିତୀୟ ସର୍ବବୃହତ ନଦୀ ତାଇହୁରେ ଜଳସ୍ତର ସତର୍କ ରେଖା ଉପରେ ପ୍ରବାହିତ ହେଉଛି ।
ଏପରି ସ୍ଥିତିକୁ ନଜରରେ ରଖି ଦେଶରେ ବନ୍ୟା ମୁକାବିଲା ଓ ମରୁଡି ରିଲିଫ ହେଡକ୍ବାଟରରେ ଆପାତକାଳୀନ ସେବାକୁ ଦ୍ବିତୀୟ ସ୍ତରକୁ ବୃଦ୍ଧି କରାଯାଇଛି । ଗତ ଜୁଲାଇ 7ରେ ଏହି ସ୍ତରକୁ ଚତୁର୍ଥରୁ ତୃତୀୟକୁ ବୃଦ୍ଧି କରାଯାଇଥିଲା । ତେବେ ରବିବାର ଦେଶର ସର୍ବବୃହତ ଜଳରାଶି ପୋୟାଙ୍ଗ ନଦୀରେ ମଧ୍ୟ ଅପରାହ୍ନ 4ଟା ସୁଦ୍ଧା ସତର୍କ ରେଖା ଉପରେ ଜଳ ପ୍ରବାହିତ ହୋଇଥିଲା । ଯାହା ଦେଶରେ ବନ୍ୟା ପରିସ୍ଥିତି ପାଇଁ ପଦକ୍ଷେପ ନେବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାଧ୍ୟ କରିଥିଲା ।
@IANS