କାବୁଲ: ଆଫଗାନିସ୍ତାନରେ କାର ବୋମା ବିସ୍ଫୋରଣ । ତେବେ ରବିବାର ଦିନ ଜଣେ ଆତ୍ମଘାତୀ କାର ବୋମା ବିସ୍ଫୋରଣକାରୀ ଆଫଗାନିସ୍ତାନର ଏକ ‘ଆର୍ମି ବେସ୍’ରେ ଧକ୍କା ଦେବାରୁ ଅନ୍ୟୂନ ୨୬ ଜଣ ସୁରକ୍ଷାକର୍ମୀ ନିହତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ତାଲିବାନ ଏବଂ ସରକାରୀ ସେନା ମଧ୍ୟରେ ନିୟମିତ ଲଢ଼େଇ ଚାଲୁଥିବା ଗଜନି ପୂର୍ବାଞ୍ଚଳ ପ୍ରଦେଶର ରାଜଧାନୀ ଗଜନି ସହର ଉପକଣ୍ଠରେ ଏହି ଆକ୍ରମଣ ହୋଇଛି। ପ୍ରାୟ ଦୁଇ ଦଶନ୍ଧି ହେବ ଚାଲିଥିବା ଲଢ଼େଇରେ ହଜାର ହଜାର ଲୋକ ପ୍ରାଣ ହରାଇଥିବା ଏହି ଗରିବ ଦେଶରେ ଯୁଦ୍ଧର ଅବସାନ ନିମନ୍ତେ ସରକାର ଓ ତାଲିବାନ ଶାନ୍ତି ଆଲୋଚନା ଚଳାଇଥିବା ବେଳେ ଏଭଳି ଆକ୍ରମଣ ହୋଇଛି।
ଗଜନି ହସ୍ପିଟାଲର ନିର୍ଦେଶକ ବାଜ ମହମ୍ମଦ ହେମତ ଗଣମାଧ୍ୟମକୁ କହିଛନ୍ତି, ଏ ପର୍ଯ୍ୟନ୍ତ ୨୬ ଜଣଙ୍କ ମୃତ୍ୟୁ ଓ ୧୭ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସମସ୍ତେ ନିରାପତ୍ତା କର୍ମଚାରୀ ବୋଲି ସେ କହିଛନ୍ତି । ତେବେ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ବିସ୍ଫୋରକ ଭର୍ତ୍ତି ସେହି ଗାଡ଼ିଟିକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିବା କଥା ଗୃହ ମନ୍ତ୍ରାଳୟ ମୁଖପାତ୍ର ତାରିକ ଆରିଆନ୍ କହିଛନ୍ତି।
ଶାନ୍ତି ଆଲୋଚନା ସତ୍ତ୍ବେ ତାଲିବାନ, ଆଫଗାନିସ୍ତାନ ସୈନ୍ୟଙ୍କୁ ଟାର୍ଗେଟ କରି ପ୍ରତିଦିନ ଆକ୍ରମଣ କରୁଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସଂଗଠନ ଏହି ଆକ୍ରମଣ କରିଥିବା ଦାବି କରି ନାହାନ୍ତି।