କାବୁଲ: ପୁଣି ଅଶାନ୍ତ ହୋଇପଡିଛି ଆଫଗାନିସ୍ତାନ । ରାଜଧାନୀ କାବୁଲରେ ଭୟଙ୍କର ବିସ୍ଫୋରଣ । କାବୁଲର ଏକ ମସଜିଦରେ ହୋଇଥିବା ବିସ୍ଫୋରଣରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ଏହାସହ ଅନେକ ଆହତ ମଧ୍ୟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆତଙ୍କୀ ସଙ୍ଗଠନ ଏହି ବିସ୍ଫୋରଣ ନେଇ ନିଜକୁ ଦାୟୀ କରିନାହାଁନ୍ତି ।
ରବିବାର ଦିନ ଦ୍ବିପହରରେ ଇଦଗାହ ମସଜିଦ ନିକଟରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ନେଇ ସ୍ପଷ୍ଟ କରିଛନ୍ତି ତାଲିବାନ ମୁଖପାତ୍ର ଜବିଉଲ୍ଲାହ ମୁଜାହିଦ । ସୂଚନା ଅନୁଯାୟୀ, ମୁଜାହିଦଙ୍କ ମା'ଙ୍କ ପାଇଁ ଏକ ପ୍ରାର୍ଥନା ସଭା ରଖାଯାଇଥିଲା । ଗତ ସପ୍ତାହରେ ହୋଇଥିଲା ମୁଜାହିଦଙ୍କ ମା'ଙ୍କ ଦେହାନ୍ତ । ଅନେକ ଲୋକଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରିତ କରାଯାଇଥିଲା ।
ସମ୍ବାଦ ସରବରାହ ସଂସ୍ଥା ଅନୁଯାୟୀ, ବିସ୍ଫୋରଣ ସମୟରେ ଗୁଳି ମଧ୍ୟ ଚାଲିଥିଲା । ବିସ୍ଫୋରଣ ପୂର୍ବରୁ ପ୍ରାର୍ଥନା ସଭା ପାଇଁ ରାସ୍ତାରେ ଯାତାୟତ ବନ୍ଦ କରିଥିଲା ତାଲିବାନ । ହେଲେ କିଏ ଏହି ବିସ୍ଫୋରଣର ଘଟାଇଛି, ତାହା ଏଯାଏଁ ଜଣାପଡି ନଥିବାବେଳେ କେତେ ଜଣଙ୍କର ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ହୋଇପାରିନାହିଁ ।
ଏହାପୂର୍ବରୁ ଆଫଗାନିସ୍ତାନର କାବୁଲ ବିମାନବନ୍ଦର ବାହାରେ ସିରିଜ୍ ବିସ୍ଫୋରଣ ଘଟଣାରେ 100 ଜଣ ମୃତ୍ୟୁ ହୋଇଥିଲା । ଆତଙ୍କୀ ସଂଗଠନ ISIS-K ପକ୍ଷରୁ କରାଯାଇଥିବା ଏହି ଆକ୍ରମଣରେ 13 ଆମେରିକା ସୈନ୍ୟ ପ୍ରାଣ ହରାଇଥିଲେ ।