ଢାକା: ପଶ୍ଚିମବଙ୍ଗ ଓ ବାଂଲାଦେଶରେ ଅନେକ କ୍ଷୟକ୍ଷତି କରିଛି ବାତ୍ୟା ଅମ୍ଫାନ । ବିଶେଷ କରି ପଶ୍ଚିମବଙ୍ଗରେ ଏହାର ଅଧିକ ପ୍ରଭାବ ପଡିଛି । ଏନେଇ ଶୁକ୍ରବାର ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି ।
ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ସେକ୍ରେଟାରୀ ଏନେଇ ସୂଚନା ଦେଇଛନ୍ତି । ସକାଳ ପ୍ରାୟ 11ଟା 10ବେଳେ ହସିନା ମମତାଙ୍କୁ ଫୋନ କରି ଅମ୍ଫାନର କ୍ଷୟକ୍ଷତି ବିଷୟରେ ପଚାରି ବୁଝିଥିଲେ । ଏହାସହ ଏଥିରେ ନଷ୍ଟ ହୋଇଥିବା ସମ୍ପତ୍ତି ଓ ଜୀବନ ପାଇଁ ସେ ମମତାଙ୍କୁ ସମବେଦନା ଜଣାଇଥିଲେ । ଉଭୟ ନେତା ଅମ୍ଫାନର ପରବର୍ତ୍ତୀ ଅବସ୍ଥା ଓ ପୁନରୁଦ୍ଧାର ସମ୍ପର୍କରେ ଆଲୋଚନା କରିଥିଲେ ।
ପ୍ରକାଶ ଥାଉ କି ପଶ୍ଚିମବଙ୍ଗରେ ବୁଧବାର ଲ୍ୟାଣ୍ଡଫଲ କରି ଅମ୍ଫାନ ତାଣ୍ଡବ ରଚିଥିଲା । ଏଥିରେ ଅତିକମରେ 72 ଜଣଙ୍କର ପ୍ରାଣ ଯାଇଥିଲା । ସେହିପରି ବାଂଲାଦେଶର 26ଟି ଜିଲ୍ଲାରେ ବାତ୍ୟା ପ୍ରଭାବ ପକାଇଥିଲା । ଏଥିରେ ପ୍ରାୟ 1100 କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ରହିଛି । ପ୍ରାୟ 20 ଜଣ ଏଥିରେ ପ୍ରାଣ ହରାଇଛନ୍ତି । ସେହିପରି ଉତ୍ତର ଓ ପଶ୍ଚିମ ବାଂଲାଦେଶର କୋଟି କୋଟି ଲୋକ ବିନା ଇଲେକ୍ଟ୍ରିସିଟିରେ ଏବେ ରହୁଥିବା ଜଣାପଡିଛି ।