ରାଞ୍ଚି: ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଭାରତ-ଚୀନ ରକ୍ତ ସଂଘର୍ଷରେ ଭାରତ 20 ଯବାନ ସହିଦ ହୋଇଛନ୍ତି । ସେପଟେ ଚୀନର 43 ସୈନିକ ମରିଥିବା ନେଇ ସୂଚନା ମିଳିଛି । ଏହି ଘଟଣା ପରେ ଭାରତ-ଚୀନ୍ ସୀମାରେ ଥିବା ଷ୍ଟ୍ରାଟେଜିକ୍ ବର୍ଡର ରୋଡ୍ ଅର୍ଗାନାଇଜେସନ୍ (BRO) ପ୍ରକଳ୍ପରେ କାର୍ଯ୍ୟ କରିବା ପାଇଁ ଝାଡଖଣ୍ଡରୁ ପ୍ରାୟ 1600 ଶ୍ରମିକଙ୍କୁ ନେଇଯିବାକୁ ଥିବା ଟ୍ରେନ୍ କୁ ସ୍ଥଗିତ କରିଛି ।
ଜୁନ୍ 13 ରେ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଭାରତ-ଚୀନ୍ ସୀମାରେ ରଣନୈତିକ BRO ପ୍ରକଳ୍ପରେ କାର୍ଯ୍ୟ କରିବାକୁ 1600 ଲୋକଙ୍କୁ ନେଇ ଯିବାକୁ ଥିବା ଟ୍ରେନକୁ ଅନୁମତି ଦେଇଥିଲେ । କିନ୍ତୁ ସୀମାନ୍ତରେ ଚାଲିଥିବା ସଂଘର୍ଷକୁ ନେଇ ଶ୍ରମିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରେନ ସ୍ଥଗିତ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ଡୁମକା ଡେପୁଟି କମିଶନର ରାଜେଶ୍ବରୀ ବି । ସେ କହିଛନ୍ତି, ଆମ ରାଜ୍ୟର ଶ୍ରମିକମାନେ ସେଠାରେ କାମ କରୁଥିଲେ ଏବଂ ଯେତେବେଳେ ପରିସ୍ଥିତି ସ୍ବାଭାବିକ ହେବ, ଟ୍ରେନ୍ ପୁଣି ଆରମ୍ଭ ହେବ। ଯେଉଁ ଶ୍ରମିକମାନେ ସେଠାକୁ ଯାଇପାରିନଥିଲେ, ଆମେ MNREGA ଅଧୀନରେ ରାଜ୍ୟରେ ରୋଜଗାରର ସୁଯୋଗ ସୃଷ୍ଟି କରୁଛୁ ।
ଏଠାରେ ସୂଚନା ଥାଉ ଯେ, ଗଲଓ୍ବାନ ଘାଟିରେ ସୀମା ବିବାଦକୁ ନେଇ ବୈଠକ ପରେ ସ୍ଥିତି ସାମାନ୍ୟ ଥିବାବେଳେ ପୁଣି ଥରେ ହିଂସା ଉପୁଜିଛି । ସୋମବାର ବିଳମ୍ବିତ ରାତିରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ହିଂସା ଉପୁଜିଥିଲା । ଫଳରେ ଭାରତର 20 ଯବାନ ଶହୀଦ ହୋଇଥିଲେ । ଅନ୍ୟପକ୍ଷରେ ଚୀନ ସେନାର 43 ଯବାନ ନିହତ ହୋଇଥିବା ନେଇ ସୂଚନା ମିଳିଛି ।