କାବୁଲ: ଆଫଗାନିସ୍ତାନରେ ଏବର୍ଷ ସାଧାରଣ ନାଗରିକଙ୍କ ମୃତ୍ୟୁରେ ଅନେକ ହ୍ରାସ ଘଟିଛି । ଗତବର୍ଷ ତୁଳନାରେ ଏହା ଏକ ତୃତୀୟାଂଶ କମ ରହିଛି । ବିଶେଷ କରି ବର୍ଷର ପ୍ରଥମାର୍ଦ୍ଧରେ ଏହି ସଂଖ୍ୟା କମ ରହିଛି ବୋଲି ମିଳିତ ଜାତିସଂଘର ଏକ ରିପୋର୍ଟରେ ପ୍ରକାଶ ପାଇଛି ।
2012 ପରେ ପ୍ରଥମ ଥର ପାଇଁ ଏପରି ସ୍ଥିତି ଦେଖାଦେଇଛି । ବର୍ଷର ପ୍ରଥମାର୍ଦ୍ଧରେ 8 ବର୍ଷ ପରେ ପ୍ରଥମ ଥର କମ ଲୋକ ମରିଛନ୍ତି । ଏହି ରିପୋର୍ଟ ଅନୁସାରେ କୋରୋନା ପ୍ରଭାବ ଓ ଆମେରିକା-ତାଲିବାନ ଶାନ୍ତି ଚୁକ୍ତି ପାଇଁ ଏପରି ଘଟିଥିବା କୁହାଯାଉଛି ।
ତେବେ ଏପରି ସ୍ଥିତି ସତ୍ତ୍ବେ 533 ଆଫଗାନ ଲୋକଙ୍କର ନିକଟରେ ତାଲିବାନ ଆକ୍ରମଣରେ ମୃତ୍ୟୁ ହୋଇଛି । ଏମାନଙ୍କ ଭିତରେ 150ରୁ ଅଧିକ ପିଲା ରହିଛନ୍ତି । ସେହିପରି ସରକାର ବିରୋଧୀ ଘଟଣା ଦେଶରେ ବଢିବାରେ ଲାଗିଛି । ତେବେ କୋରୋନା ବିପଦ ସମୟରେ ସରକାରଙ୍କୁ ସାହାଯ୍ୟ ପାଇଁ କରିଥିବା ଅନୁରୋଧକୁ ତାଲିବାନ ପ୍ରତ୍ୟାଖ୍ୟାନ କରିଦେଇଛି । ଏହାସହ ରମଜାନ ମାସରେ ଅସ୍ତ୍ରବିରତି ପ୍ରସ୍ତାବକୁ ମଧ୍ୟ ମାନିନାହିଁ ତାଲିବାନ ।