କାବୁଲ: କୋଭିଡ 19 ମୁକାବିଲା ସହ ଶାନ୍ତି ପରିସ୍ଥିତି ବଜାୟ ରଖିବାକୁ ଆଫଗାନିସ୍ତାନ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି । ସରକାରଙ୍କ ପକ୍ଷରୁ 1000 ତାଲିବାନୀଙ୍କୁ ମୁକ୍ତ କରାଯାଇଛି । ଏହାସହ ସେମାନଙ୍କୁ କୌଣସି ହିଂସାକାଣ୍ଡ ନକରିବାକୁ ଅନୁରୋଧ କରାଯାଇଛି ।
ଜାତୀୟ ସୁରକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ଯେ ପରିସ୍ଥିତି ଖରାପ ଥିବାରୁ ଏହାକୁ ସଜାଡିବାର ପ୍ରୟାସ କରିଛନ୍ତି ସରକାର । ବର୍ତ୍ତମାନ ସ୍ଥିତିରେ 1000 ତାଲିବାନୀଙ୍କୁ ହିଂସାକାଣ୍ଡ ନକରିବା ସର୍ତ୍ତରେ ଛଡାଯାଉଛି । ସେହିପରି ତାଲିବାନ ସଙ୍ଗଠନ ମଧ୍ୟ ସହଯୋଗର ହାତ ବଢାଇ ଅପହରଣ କରିଥିବା ସରକାରୀ ସୁରକ୍ଷା କର୍ମୀଙ୍କୁ ଛାଡିଦେଉ ବୋଲି ପରିଷଦ ଅନୁରୋଧ କରିଛି । ଏହାସହ ପରସ୍ପର ମଧ୍ୟରେ ସିଧାସଳଖ କଥାବାର୍ତ୍ତା ହେଉ ବୋଲି ମଧ୍ୟ ଏହା ଦାବି କରିଛି ।
ଉଲ୍ଲେଖଯୋଗ୍ୟ ଯେ ଫେବୃୟାରୀରେ ହୋଇଥିବା ଆମେରିକା-ତାଲିବାନ ଚୁକ୍ତିରେ ଶାନ୍ତି ଫେରାଇ ଆଣିବା ପାଇଁ ଉଭୟ ପକ୍ଷ ବନ୍ଦୀଙ୍କୁ ଛାଡିବେ ବୋଲି ସ୍ଥିର ହୋଇଥିଲା । ଏହାସହ ବର୍ଷେ ମଧ୍ୟରେ ସମସ୍ତ ବିଦେଶୀ ଟ୍ରୁପ ଆଫଗାନିସ୍ତାନ ଛାଡିବେ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଏହି ଚୁକ୍ତି ଅନୁସାରେ 1000 ତାଲିବାନୀଙ୍କୁ ଛଡାଯାଇଛି । ପୂର୍ବରୁ ମଧ୍ୟ ଅନେକ ତାଲିବାନୀଙ୍କୁ ଛାଡିବା ସହ 1500 କଏଦୀଙ୍କୁ ଧିରେ ଧିରେ ଛଡାଯିବ ବୋଲି ସରକାର କହିଛନ୍ତି ।
ତାଲିବାନ ପକ୍ଷରୁ 5000ଙ୍କୁ ଛାଡିବାକୁ ଦାବି ହୋଇଛି । ସେପଟେ ତାଲିବାନମାନେ 1000 ସରକାରୀ ସୁରକ୍ଷା କର୍ମୀଙ୍କୁ ଛାଡିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏବେ ଯାଏଁ ମାତ୍ର 110 ଜଣଙ୍କୁ ଛାଡିଛନ୍ତି ।