କାବୁଲ: ତାଲିବାନ ଆତଙ୍କବାଦୀଙ୍କ ଉପରେ ଭାରି ପଡିଛି ଆଫଗାନିସ୍ତାନର ସୁରକ୍ଷା ବଳ । ସୁରକ୍ଷା ବଳର ବିମାନ ଆକ୍ରମଣରେ ତାଲିବାନର 33 ଆତଙ୍କବାଦୀ ନିହତ ହୋଇଛନ୍ତି । ଦେଶର ବଲଖ ଅଞ୍ଚଳର କଲଦର ଓ ଶୋରଟେପା ଜିଲ୍ଲାରେ ଏହି ଆକ୍ରମଣ ହୋଇଛି ବୋଲି ଆଫଗାନିସ୍ତାନ ଆର୍ମିର ଜଣେ ମୁଖପାତ୍ର ସୂଚନା ଦେଇଛନ୍ତି ।
ତାଲିବାନ ଆତଙ୍କବାଦୀମାନେ ବୁଧବାର ଅପରାହ୍ନରେ ଗୋଟିଏ ସ୍ଥାନରେ ଏକାଠି ହୋଇଥିବା ସମ୍ପର୍କରେ ଆଫଗାନିସ୍ତାନକୁ ଖବର ମିଳିଥିଲା । ଏ ସମ୍ପର୍କରେ ଖବର ପାଇବା ପରେ ଆଫଗାନିସ୍ତାନ ସୁରକ୍ଷା କର୍ମୀମାନେ ବିମାନ ଆକ୍ରମଣ କରିଥିଲେ । ଏୟାରଷ୍ଟ୍ରାଇକ ଆକ୍ରମଣରେ 33 ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବାବେଳେ 19 ଜଣ ଗୁରୁତର ଆହତ ହୋଇଛନ୍ତି ।
ଗୁରୁବାର ସକାଳେ ଆଫଗାନିସ୍ତାନ ସୈନ୍ୟବାହିନୀ ହେରାଟ ଅଞ୍ଚଳର ଗୋରିୟାନ ଜିଲ୍ଲାରେ ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣର କଡା ଜବାବ ଦେଇଥିଲେ ବୋଲି ସରକାରୀ ବିବୃତ୍ତିରେ କୁହାଯାଇଛି । ଶହ ଶହ ସଂଖ୍ୟାରେ ତାଲିବାନ ଆତଙ୍କବାଦୀ ଘୋରିୟାନ ଜିଲ୍ଲା ଉପରେ ବହୁମୁଖୀ ଆକ୍ରମଣ ଆରମ୍ଭ କରିଥିଲେ, କିନ୍ତୁ ସୁରକ୍ଷା ବାହିନୀ ଏହାର ଜବାବ ଦେଇଥିଲା ।
ଏହି ଆକ୍ରମଣରେ ଆଫଗାନିସ୍ତାନର ଜଣେ ସୁରକ୍ଷାବାହିନୀ ଶହୀଦ ହୋଇଥିବାବେଳେ 4 ଜଣ ଗୁରୁତର ଆହତ ହୋଇଥିଲେ । ମେ 1 ତାରିଖରେ ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କରିଥିଲା । ଏହାପରେ ତାଲିବାନ ଆତଙ୍କବାଦୀମାନେ 70ରୁ ଅଧିକ ଜିଲ୍ଲା ଦଖଲ କରିଥିବା ଜଣାପଡିଛି ।