ସିଙ୍ଗାପୁର: ଭାରତରେ ଦେଶବାସୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ସେପଟେ ବିଦେଶରେ ଅସୁରକ୍ଷିତ ଭାରତୀୟ । ଶୁକ୍ରବାର ପ୍ରକାଶିତ ତଥ୍ୟ ମୁତାବକ ସିଙ୍ଗାପୁରରେ ଥିବା 250 ଭାରତୀୟ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଭାରତୀୟଙ୍କୁ ଏକ ଡର୍ମିଟୋରୀରେ ରଖାଯାଇଥିବା ଜଣାପଡିଛି ।
ଭାରତୀୟ ଉଚ୍ଚାୟୁକ୍ତ ଜାୱେଦ ଅସ୍ରଫଙ୍କ ଶୁକ୍ରବାର ଦେଇଥିବା ସୂଚନା ମୁତାବକ ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ଭାରତୀୟ ଏବେ ଚିକିତ୍ସାଧିନ ଅଛନ୍ତି । ବର୍ତ୍ତମାନ ସେମାନଙ୍କ ଅବସ୍ଥା ସ୍ଥିର ଥିବା ସହ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ରହିଛି । ସେମାନଙ୍କୁ ମଧ୍ୟରୁ କିଛି ଜଣ ଭାରତୀୟ ବଂଶୋଦ୍ଭବ ସିଙ୍ଗାପୁରର ସ୍ଥାୟୀ ଅଧିବାସୀ ।
ସିଙ୍ଗାପୁରରେ ଭାରତୀୟ କର୍ମଚାରୀମାନଙ୍କ ପାଇଁ ଏକ ଡର୍ମିଟୋରୀର ବ୍ୟବସ୍ଥା ରହିଛି । ଯେଉଁଠାରେ ସମସ୍ତେ ପରସ୍ପରର ଅତି ନିକଟତର ହୋଇ ରହୁଥିବାରୁ ଏକକାଳୀନ ଏତେ ସଂଖ୍ୟାରେ ଭାରତୀୟ ସଂକ୍ରମିତ ହୋଇଥିଲେ । ତେବେ ସଂକ୍ରମିତ 250 ଜଣଙ୍କ ମଧ୍ୟରୁ 50 ପ୍ରତିଶତ ଡର୍ମିଟୋରୀରେ ସଂକ୍ରମିତ ହୋଇଥିବା ଜଣାପଡିଛି ।
ମାର୍ଚ୍ଚ 29ରେ ବିଦେଶୀଙ୍କ ପାଇଁ ରହିଥିବା ଡର୍ମିଟୋରୀରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର 200ଟିର ନମୁନା ପଜିଟିଭ ଚିହ୍ନଟ ହୋଇଥିଲା । ସେପଟେ ଆଗାମୀ କିଛି ସପ୍ତାହ ଯାଏଁ ଏହି ସଂଖ୍ୟା ବଢିପାରେ ବୋଲି ଆକଳନ କରାଯାଇଛି ।