କଲମ୍ବୋ: ଇଷ୍ଟରରେ ଶ୍ରୀଲଙ୍କାରେ ସଂଘଟିତ ସିରିଜ୍ ବୋମା ବିସ୍ଫୋରଣ ଘଟଣା ପରେ ପରେ ସମଗ୍ର ଦେଶରେ ସାମ୍ପ୍ରଦାୟିକ ହିଂସା ଭୟଙ୍କର ରୂପ ଧାରଣ କରୁଛି । ଏକାଧିକ ସ୍ଥାନରେ ଶ୍ରୀଲଙ୍କାରେ ମୁସଲିମ ବିରୋଧୀ ଦଙ୍ଗା ନେଇ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଗତକାଲିଠାରୁ ଦେଶବ୍ୟାପୀ କର୍ଫ୍ୟୁ ଜାରି କରାଯାଇଛି । ତେବେ କର୍ଫ୍ୟୁ ସତ୍ତ୍ବେ ଦେଶର ବିଭିନ୍ନ ଭାଗରେ ହିଂସାକାଣ୍ଡ ଦେଖାଦେଇଛି । 100ରୁ ଊର୍ଦ୍ଧ୍ବ ଦଙ୍ଗାକାରୀଙ୍କୁ ଗିରଫ କରିଛି ପୋଲିସ ।
ଶ୍ରୀଲଙ୍କା ପୋଲିସ ମୁଖପାତ୍ର ଏସ୍ ପି ରୁୱାନୀ ଗୁଣଶେଖରଙ୍କ ସୂଚନା ଅନୁସାରେ ଦେଶରେ ଉତ୍ତର-ପଶ୍ଚିମ ଇଲାକାରେ ଗାପାଁହାରେ ବୁଧବାର ରାତି 7ଟାରୁ ଗୁରୁବାର ସକାଳ 4ଟା ଯାଏଁ କର୍ଫ୍ୟୁ ଜାରି କରାଯାଇଛି । ଏହାସହ ଧୀରେଧୀରେ ସ୍ଥିତି ନିୟନ୍ତ୍ରଣାଧୀନ ହେଉଥିବା କଥା କହିଛନ୍ତି ଗୁଣଶେଖର ।
ଶ୍ରୀଲଙ୍କାରେ ଦଙ୍ଗା ପରିସ୍ଥିତି ଅନୁଧ୍ୟାନ ପାଇଁ ଆକାଶ ମାର୍ଗରେ 24ଘଣ୍ଟିଆ ବାୟୁସେନା ହେଲିକପ୍ଟର ନଜର ରଖୁଥିବା କହିଛନ୍ତି ବାୟୁସେନା ମୁଖପାତ୍ର ଗ୍ରୁଫ କ୍ୟାପ୍ଟେନ୍ ଗିହାନ ସେନେବୀରରତ୍ନେ । ହିଂସା ଭିଆଉଥିବା ତଥା ଅଶାନ୍ତି ସୃଷ୍ଟି କରୁଥିବା ଶହଶହ ଲୋକଙ୍କ ଫଟୋ ଆକାଶ ମାର୍ଗରୁ ଉଠାଯାଉଥିବା କହିଛନ୍ତି ।
ପୋଲିସ ମୁଖପାତ୍ର ଏସ୍ ପି ରୁୱାନୀ ଗୁଣଶେଖର କହିଛନ୍ତି ଦେଶର ପଶ୍ଚିମ ପ୍ରାନ୍ତରେ ସର୍ବାଧିକ ମୁସଲିମ ବିରୋଧୀ ହିଂସା ଓ ଦଙ୍ଗା ଘଟଣା ସାମନାକୁ ଆସୁଛି । ଏହି ଅଞ୍ଚଳରୁ 78ଜଣ ହିଂସାକାଣ୍ଡରେ ସାମିଲ ଥିବା ଲୋକଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଅଞ୍ଚଳରୁ 22ଦଙ୍ଗାକୁ ଉସକାଉଥିବା ଲୋକଙ୍କୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି । ଏହା ପୂର୍ବରୁ ଶ୍ରୀଲଙ୍କାରେ ସୋସିଆଲ ମିଡିଆକୁ ଅସ୍ଥାୟୀ ରୂପେ ବ୍ୟାନ୍ କରାଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ ଏପ୍ରିଲ ୧୧ରେ ଶ୍ରୀଲଙ୍କାର ଏକାଧିକ ଚର୍ଚ୍ଚରେ ସିରିଜ୍ ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ ପ୍ରାୟ ୨୫୦ ଜଣ ପ୍ରାଣ ହରାଇଥିଲେ । ଆଇଏସ୍ ଆତଙ୍କୀ ସଂଗଠନ ଏଥିପାଇଁ ନିଜକୁ ଦାୟୀ କରିଥିଲା । ଏହାପର ଠାରୁ ଶ୍ରୀଲଙ୍କାର ଆଭ୍ୟନ୍ତରୀଣ ପରିସ୍ଥିତି ବିଗିଡିବାରେ ଲାଗିଛି ।