ଟୋକିଓ: ଚୀନ ପରେ ବିଶ୍ବର ଅନ୍ୟ ଦେଶରେ ନିଜର କାୟା ବିସ୍ତାର କରିଛି କୋରୋନା । ଜାପାନରେ ମଧ୍ୟ ଏହାର ଆତଙ୍କ ଦେଖିବାକୁ ମିଳିଛି । ଏହି ରୋଗ ଆଶଙ୍କାରେ ଜାପାନର ୟୋକୋହାମ ବନ୍ଦରରେ ଅଲଗା ରଖାଯାଇଥିବା ଜାହାଜର ଲୋକଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି। ସୋମବାର ଜାପାନ ପ୍ରଶାସନ ଜାହାଜରେ ଥିବା ଲୋକଙ୍କୁ ମାଗଣାରେ ପ୍ରାୟ ଦୁଇ ହଜାର ଆଇଫୋନ ଯୋଗାଇ ଦେଇଛନ୍ତି ।

ଡାଇମଣ୍ଡ ପ୍ରିନ୍ସସେସ ନାମକ ଏହି କ୍ରୁଜ ସିପରେ ପ୍ରାୟ ୩୭ଶହ ଲୋକ ରହିଛନ୍ତି । ସେମାନଙ୍କୁ ମେଡିକାଲ ବାବଦରେ ବାର୍ତ୍ତାଳପ ସହ ଅନ୍ୟମାନଙ୍କ ସହ ଯୋଗାଯୋଗ ପାଇଁ ମାଗଣାରେ ଆଇଫୋନ ଦିଆଯାଇଛି।
ଏହି ଜାହାଜରେ ଶହେରୁ ଅଧିକ ଭାରତୀୟ ମଧ୍ୟ ରହିଥିବା ଖବର ରହିଛି । ବଣ୍ଟା ଯାଇଥିବା ଆଇଫୋନରେ ଲାଇନ ଆପର ବ୍ୟବସ୍ଥା ରହିଛି। ଏହାଦ୍ୱାରା ଗୋଟିଏ କ୍ୟାବିନରେ ଥିବା ଲୋକମାନେ ଜାହାଜ ମଧ୍ୟରେ ଥିବା ଅନ୍ୟ ଲୋକଙ୍କ ସହ ଯୋଗାଯୋଗ କରିପାରିବେ। ବର୍ତ୍ତମାନ ସୁଦ୍ଧା ଜାପାନରେ ୩୫୦ରୁ ଅଧିକ ଲୋକ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ 5ରୁ ଅଧିକ ଭାରତୀୟ ରହିଛନ୍ତି।