କାବୁଲ: ଆଫଗାନିସ୍ତାନରେ ତାଲିବାନ ଜବର ଦଖଲ ଜାରି ରଖିଛି । ଗତ ୨୪ ଘଣ୍ଟାରେ ହୋଇଥିବା ସଂଘର୍ଷରେ ଆଫଗାନିସ୍ତାନର ୧୧ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬୪ ଜଣ ଆହତ ହୋଇଛନ୍ତି । ରବିବାର ଦେଶର ବିଭିନ୍ନ ଅଞ୍ଚଳରେ ଯୁଦ୍ଧ ଜାରି ରହିଛି । ଶନିବାର ଆଫଗାନିସ୍ତାନର ଦ୍ବିତୀୟ ରାଜଧାନୀ ଉପରେ କବଜା କରିଥିଲା ତାଲିବାନ ।
ଦେଶର ଉତ୍ତରାଞ୍ଚଳ କୁନ୍ଦୁଜ ସିଟିରେ ୧୦ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪୨ ଜଣ ଗୁରୁତର ଆହତ ହୋଇଛନ୍ତି । ତାଲିବାନ ଏହି ସିଟିର ୩ଟି ଦିଗରୁ ଆକ୍ରମଣ କରି ସମ୍ପୂର୍ଣ୍ଣ ସିଟିକୁ ଅକ୍ତିଆର କରିବା ପାଇଁ ପ୍ରୟାସ କରୁଛି । ଏହି ସଂଘର୍ଷରେ ତାଲିବାନର ମଧ୍ୟ ୪୭ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩୯ ଜଣ ଆହତ ହୋଇଥିବା ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ସେହିପରି ଗତ ଶୁକ୍ରବାର ସଂଘର୍ଷରେ ତଲକନ ସିଟିରେ ମଧ୍ୟ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ତାଲିବାନ ସହର ଉପରେ ଆକ୍ରମଣ କରିଥିଲା । ସ୍ଥାନୀୟ ସୁରକ୍ଷା ବାହିନୀ ଓ ଆଫଗାନିସ୍ତାନ ସେନା ଆକ୍ରମଣକାରୀଙ୍କୁ ଘଉଡାଇଥିଲେ । ଆଫଗାନିସ୍ତାନର ଶିବେରଘନ ସିଟି ଉପରେ ତାଲିବାନ ଶନିବାର ଆକ୍ରମଣ କରି ନିଜ ଆଡ୍ଡା ଜମାଇବାରେ ସଫଳ ହୋଇଛି । ଆତଙ୍କବାଦୀ ମାନେ ଏହି ଅଞ୍ଚଳରେ ଥିବା ଜେଲରୁ କଏଦୀମାନଙ୍କୁ ମଧ୍ୟ ମୁକ୍ତ କରିଥିବା ଜଣାପଡିଛି ।
ଶନିବାର କାନ୍ଦାହର ସିଟିରେ ହୋଇଥିବା ସଂଘର୍ଷରେ ୨୨ ଜଣ ଗୁରୁତରଙ୍କ ମଧ୍ୟରୁ ଜଣେ ମହିଳା ଓ ୬ ଜଣ ଶିଶୁ ଥିଲେ । ସେମାନଙ୍କୁ ମିରବୈସ ଆଞ୍ଚଳିକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁଳି ବାଜି ୮ ଜଣ ଆହତ ହୋଇଥିବା ବେଳେୋ ଅନ୍ୟମାନେ ବୋମା ବିସ୍ଫୋରଣରେ ଆହତ ହୋଇଛନ୍ତି ।
@IANS