ହଂକଂ: ନିକଟରେ ହଂକଂ ସହରରେ ଚୀନର ଜାତୀୟ ସୁରକ୍ଷା ଆଇନର ପ୍ରଣୟନ ନେଇ ପ୍ରସ୍ତାବ ଦେଇଛି ଚୀନ । ଯାହାକୁ ବିରୋଧ କରି ହଂକଂରେ ବେଶ କିଛି ଦିନ ହେବ ଜାରି ରହିଛି ବିକ୍ଷୋଭ । ଏହି ବିକ୍ଷୋଭର ଆଉ ଏକ କାରଣ ରହିଛି ବିବାଦୀୟ ଜାତୀୟ ସଙ୍ଗୀତ । ଯାହାକୁ ଆଧାର କରି ହଂକଂରେ ଶୁକ୍ରବାର 100 ଜଣ ଶିଶୁଙ୍କୁ ଗିରଫ କରିଛି ପୋଲିସ । ଏହାପୂର୍ବରୁ ବୁଧବାର ଓ ଗୁରୁବାର 396 ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବିକ୍ଷୋଭକାରୀଙ୍କ ବୟସ 12ରୁ 70 ମଧ୍ୟରେ ରହିଥିବା ପୋଲିସ ସୂତ୍ରରୁ ଜଣାପଡିଛି ।
ଏହା ମଧ୍ୟ ସ୍ପଷ୍ଟ ହୋଇଛି କି ଗିରଫଙ୍କ ମଧ୍ୟରେ 234 ପୁରୁଷ ଓ 162 ଜଣ ମହିଳା ରହିଛନ୍ତି । 18 ବର୍ଷରୁ କମ୍ ସମସ୍ତେ ହଂକଂରେ ଶିଶୁ ବୋଲି ଗଣାଯାଉଥିବାରୁ ଏହି ବିକ୍ଷୋଭରେ ଅନେକ ଶିଶୁ ଭାଗ ନେଇଥିବା ଜଣାପଡିଛି । ତେବେ ଗିରଫ ପଛର କାରଣ ହେଉଛି ମାରଣାସ୍ତ୍ର ବ୍ୟବହାର କରିବା, ଏହାର ବ୍ୟବହାରରେ ବେଆଇନ ଗହଳି କରିବା ଏବଂ ଆଇନ ବିରୋଧୀ କାରଣ ନେଇ ହୋଇଥିବା ଗହଳିରେ ସାମିଲ ହେବା ।
ବିଧାନସଭାରେ ଆଇନ ପ୍ରଣୟନକାରୀମାନେ ଜାତୀୟ ସଙ୍ଗୀତକୁ ନେଇ 4ଦିନିଆ ତର୍କ ରଖିଥିବା ବେଳେ ଏହାକୁ ବିରୋଧ କରି ସପ୍ତାହ ସାରା ବିକ୍ଷୋଭ ଜାରି ରହିଛି । ଅନ୍ୟପଟେ ଏହି ବିଲରେ ମୋହର ବାଜିଲେ ବିକ୍ଷୋଭକାରୀଙ୍କୁ ଜେଲ ହେବ ବୋଲି କୁହାଯାଇଛି । ସମ୍ଭବତଃ ଏହି ବିଲରେ ଜୁନ 4ରେ ମୋହର ବାଜିବା ନେଇ କୁହାଯାଉଛି । ମୁଖ୍ୟତଃ ହଂକଂ ଉପରେ ଜାତୀୟ ସୁରକ୍ଷା ଆଇନର ପରିସର ବୃଦ୍ଧି ନେଇ ବେଜିଂ ଚେଷ୍ଟା ଚଳାଇଥିବା ଏହି ବିକ୍ଷୋଭର ମୁଖ୍ୟ କାରଣ ବୋଲି କୁହାଯାଉଛି ।
@IANS