ୱାଶିଂଟନ: ପୂର୍ବ ଲଦାଖରେ ଭାରତ-ଚୀନ ସେନାଙ୍କ ମୁହାଁମୁହିଁ ଘଟଣା ଗମ୍ଭୀର ଲାଗିଛି । ଭାରତ-ଚୀନ ସୀମା ଉତ୍ତେଜନା ଉପରେ ଆମେରିକା ନଜର ରଖିଛି ବୋଲି ମଙ୍ଗଳବାର ଆମେରିକାର ବୈଦେଶିକ ପ୍ରବକ୍ତା କହିଛନ୍ତି ।
ଏହା ସହ ଚୀନ ସେନାଙ୍କ ଆକ୍ରମଣରେ ଶହୀଦ ହୋଇଥିବା 20 ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଓ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି । ଉଭୟ ଦେଶ ଡି-ଏସ୍କାଲେଟ୍ ମାଧ୍ୟମରେ ଏହାକୁ ସମାଧାନ କରିବାକୁ କହିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ସମସ୍ତେ ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଛୁ ବୋଲି ପ୍ରବକ୍ତା କହିଛନ୍ତି ।
ଜୁନ 2 ତାରିଖ ଦିନ ଆମେରିକା ରାଷ୍ଟ୍ର ଡୋନାଲ୍ଡ ଟ୍ରମ୍ପ ସୀମା ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା ହୋଇଥିଲେ । ପୂର୍ବ ଲଦାଖ ଗାଲିୱାନ ଘାଟୀରେ ଚୀନ ସେନାଙ୍କ ଆକ୍ରମଣରେ 20 ଯବାନ ଶହୀଦ ହୋଇଛନ୍ତି । ଭାରତୀୟ ସେନା ମଧ୍ୟ ଏହାର ଦୃଢ ଜବାବ ଦେଇଛନ୍ତି । ତେବେ କୌଣସି ନିର୍ଦ୍ଦିଷ୍ଟ ସଂଖ୍ୟା ସ୍ପଷ୍ଟ ନଥିବାବେଳେ 40 ଜଣ ଚୀନ ସେନା ପ୍ରାଣ ହରାଇଛନ୍ତି ଭାରତୀୟ ସେନା ପକ୍ଷରୁ କୁହାଯାଇଛି ।
ବିବୃତ୍ତିରେ କୁହାଯାଇଛି, "ଗାଲୱାନ ଅଞ୍ଚଳରେ ଭାରତୀୟ ଏବଂ ଚୀନ୍ ସେନାଙ୍କ ମଧ୍ୟରେ ଜୁନ୍ 15/16 ତାରିଖ ରାତିରେ ସଂଘର୍ଷ ଘଟିଥିଲା । 17 ଜଣ ଭାରତୀୟ ସେନା ଷ୍ଟାଣ୍ଡ-ଅଫ୍ ସ୍ଥାନରେ ଡ୍ୟୁଟି ଲାଇନରେ ଗୁରୁତର ଆହତ ହୋଇଥିଲେ। ଉଚ୍ଚ ଉଚ୍ଚତାରେ ଥିବା ଉପ-ଶୂନ ତାପମାତ୍ରା ଯୋଗୁଁ ଶହୀଦ ହୋଇଥିଲେ । ସୂଚନାଯୋଗ୍ୟ, ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଗଲୱାନ ଘାଟୀରେ ଭାରତ ଓ ଚୀନ ସେନା ରବିବାର ରାତିରେ ପଛକୁ ହଟିବା ପ୍ରକ୍ରିୟା ତ୍ବରାନ୍ବିତ କରିଥିଲେ । କିନ୍ତୁ ଅଚାନକ ଚୀନ ସେନାମାନେ ଆକ୍ରମଣାତ୍ମକ ହୋଇଉଠିଥିଲେ । ସେମାନେ ପ୍ରଥମେ ଲୁହା ଛଡ ଓ ପଥର ଦ୍ବାରା ଭାରତୀୟ ସେନାଙ୍କୁ ଆକ୍ରମଣ କରିଥିଲେ । ଭାରତୀୟ ସେନା ବିନା ଅସ୍ତ୍ର ସୈନିକଙ୍କ ସହ ଲଢେଇ କରିଥିଲେ । ଏହା ପରେ ଦୁଇ ସେନା ମଧ୍ୟରେ ସଂର୍ଘଷ ସୃଷ୍ଟି ହୋଇଥିଲା ।
ଭାରତ ଅଖଣ୍ଡତା ତଥା ଦେଶର ସାର୍ବଭୌମତ୍ବ ରକ୍ଷା କରିବାକୁ ଭାରତୀୟ ସେନା ଦୃଢ ପ୍ରତିବଦ୍ଧ ବୋଲି ସରକାରୀ ପ୍ରକାଶନରେ କୁହାଯାଇଛି। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଘଟଣାରେ ଚୀନ୍କୁ ଦାୟୀ କରିଛି । ଗତ 6 ସପ୍ତାହ ଧରି ନିୟନ୍ତ୍ରଣ ରେଖାରେ ଅଶାନ୍ତି ଲାଗି ରହିଛି । 1962ରେ ଏହି ଘାଟୀକୁ ନେଇ ଯୁଦ୍ଧ ହୋଇଥିଲା ।