ନ୍ୟୁୟର୍କ: ସାରା ବିଶ୍ବରେ ନିଆଁ ପରି ବ୍ୟାପିବାରେ ଲାଗିଛି କୋରୋନା ସଂକ୍ରମଣ । ଏହାର ପ୍ରଭାବ ଏତେ ମାରାତ୍ମକ ରହିଛି କି ବର୍ତ୍ତମାନ ସୁଦ୍ଧା ବିଶ୍ବରେ ପ୍ରାୟ 2 କୋଟି 83 ଲକ୍ଷ ପାର କରିଛି ସଂକ୍ରମଣ ସଂଖ୍ୟା । ସେପଟେ ଏହାର ମୁକାବିଲା ପାଇଁ ଲକଡାଉନ ଓ ସଟଡାଉନ ପରି ସମସ୍ତ ପନ୍ଥା ଆପଣାଇବା ସତ୍ତ୍ବେ ସ୍ଥିତିରେ ବିଶେଷ ସୁଧାର ଆସିନଥିବା ଦେଖାଯାଉଛି । ଏମିତିରେ ବିଶ୍ବରେ କୋରୋନା ମୁକାବିଲା ପାଇଁ ଏକ ନୂଆ ସଂକଳ୍ପ ପାରିତ କରିଛି ଜାତିସଂଘ । ଅନ୍ତର୍ଜାତୀୟ ସହଯୋଗ, ଏକତା ଓ ବହୁ ପକ୍ଷୀୟ ସହଯୋଗ ଉପରେ ଆଧାରିତ ଏହି ସଂକଳ୍ପକୁ 169ଟି ସଦସ୍ୟ ଦେଶ ସମର୍ଥନ କରିଥିବା ବେଳେ କେବଳ 2ଟି ଦେଶ ବିରୋଧ କରିଛନ୍ତି ।
ଜାତିସଂଘ ଗଠନ ଦିନଠାରୁ ସାରା ବିଶ୍ବରେ ଏପରି ସଙ୍କଟ ପୂର୍ବରୁ କେବେ ଦେଖା ଦେଇନଥିବା ଶୁକ୍ରବାରର ଜାତିସଂଘ ସାଧାରଣ ସଭାରେ ଆଲୋଚନା ହୋଇଛି । ତେବେ ଏହି ମହାମାରୀରେ ବିଶ୍ବବ୍ୟାପୀ ପ୍ରାଣ, ଧନ, ମାନବ ଅଧିକାର, ମାନବିକତା, ସମୃଦ୍ଧି, ଜୀବିକା, ଖାଦ୍ୟ ସୁରକ୍ଷା, ଶିକ୍ଷା ଓ ବିଶ୍ବ ଅର୍ଥନୀତି ବିଶେଷ ମାତ୍ରାରେ ପ୍ରଭାବିତ ହୋଇଥିବା ଦେଖାଯାଇଛି । ଯାହାର ଉଦ୍ଧାର ପାଇଁ ଜାତିସଂଘ ନୂଆ ସଂକଳ୍ପରେ ଆଲୋଚନା କରି ବିଭିନ୍ନ ଜରୁରୀ ପଦକ୍ଷେପ ଗ୍ରହଣ କରିଥିବା ପ୍ରକାଶ କରିଛି ।
ତେବେ 2030 ବର୍ଷ ସୁଦ୍ଧା ଜାତିସଂଘ ଦେଶମାନଙ୍କରେ ହେବାକୁ ଥିବା ବିକାଶ ଧାରା ବର୍ତ୍ତମାନ କୋରୋନା ପାଇଁ ମନ୍ଥର ହୋଇଥିବା ବେଳେ ଏହାକୁ ପୁଣି ସ୍ବାଭାବିକ କରିବା ପାଇଁ ନୂଆ ସଂକଳ୍ପରେ ଯୋଜନା କରାଯାଇଛି । ଏହି ଯୋଜନା ମୁତାବକ ବର୍ତ୍ତମାନ ସାରା ବିଶ୍ବରେ କୋରୋନା ମହାମାରୀ ପାଇଁ ସୃଷ୍ଟି ହୋଇଥିବା ଭେଦଭାବ ମାନସିକତା ଓ କୋରୋନା ପ୍ରତି ନକାରାତ୍ମକ ମତବ୍ୟକ୍ତିକୁ ରୋକିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । କୋରୋନା ସମ୍ବନ୍ଧୀୟ ଅପପ୍ରଚାର ଓ ଇଣ୍ଟରନେଟରେ ଏନେଇ ଗୁଜବର ମାତ୍ରା ଏବେ ବଢିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହୋଇଛି ।
ଏହି ନୂଆ ସଂକଳ୍ପକୁ 169 ସଦସ୍ୟ ରାଷ୍ଟ୍ର ସମର୍ଥନ କରିଥିବା ବେଳେ କେବଳ ଆମେରିକା ଓ ଇସ୍ରାଏଲ ଏଥିରେ ଅସହମତି ପ୍ରକାଶ କରିଛନ୍ତି । ସେପଟେ ୟୁକ୍ରେନ ଓ ହଙ୍ଗେରୀ ଏହି ଆଲୋଚନାରୁ ନିଜକୁ ବାଦ ଦେଇଛନ୍ତି ।
@ANI