ୱାଶିଂଟନ: କୋରୋନା କାଳରେ ଅଣନିଶ୍ବାସୀ ଆମେରିକା। ଏହି ସମୟରେ ଦେଶରେ ଆଉ ଏକ ବ୍ୟାକ୍ଟେରିଆ ମୁଣ୍ଡ ଟେକିଲାଣି। ଏହି ବ୍ୟାକ୍ଟେରିଆ ପାଇଁ ଏବେ ସୁଦ୍ଧା 400 ଲୋକଙ୍କ ସଂକ୍ରମିତ ହୋଇଥିବା ଦେଶର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଖବର ମିଳିଛି। କାନାଡାର ଜନସ୍ୱାସ୍ଥ୍ୟ ଏଜେନ୍ସି କହିଛି ଯେ ବର୍ତ୍ତମାନ ଆମେରିକାରୁ ଆମଦାନୀ ହୋଇଥିବା ପିଆଜ ସହିତ ସଲମାନେଲା ସଂକ୍ରମଣର 239 ଟି ନିଶ୍ଚିତ ମାମଲା ଚିହ୍ନଟ ହୋଇଛି।
ଆମେରିକାସ୍ଥିତ ସେଣ୍ଟର ଫର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନଶନ (ସିଡିସି) ତରଫରୁ ଜାରି କରାଯାଇଥିବା ଗାଇଡଲାଇନରେ କୁହାଯାଇଛି ଯେ, ଥମସନ ଇଣ୍ଟରନ୍ୟାସନଲ କଂପାନୀ ତରଫରୁ ଯୋଗାଇ ଦିଆଯାଇଥିବା କୌଣସି ନାଲି, ଧଳା, ହଳଦିଆ ଏବଂ ମିଠା ହଳଦିଆ ପିଆଜ ଖାଆନ୍ତୁ ନାହିଁ, ବ୍ୟବହାର କରନ୍ତୁ ନାହିଁ କିମ୍ବା ବିକ୍ରୟ କରନ୍ତୁ ନାହିଁ ।
ଏହି ପରାମର୍ଶ କାନାଡାର ବିଭିନ୍ନ ସ୍ଥାନ, ଖୁଚୁରା ବ୍ୟବସାୟୀ, ବିତରକ, ଉତ୍ପାଦକ ଏବଂ ଖାଦ୍ୟ ସେବା ପ୍ରତିଷ୍ଠାନ ଯେପରିକି ହୋଟେଲ, ରେଷ୍ଟୁରାଣ୍ଟ, କାଫେଟେରିଆ, ଡାକ୍ତରଖାନା ଏବଂ ନର୍ସିଂହୋମ ପାଇଁ ପ୍ରଯୁଜ୍ୟ ।
ଏହି ବ୍ୟାକ୍ଟେରିଆ ସଂକ୍ରମିତ ପିଆଜ ବ୍ୟକ୍ତିର ଶରୀରର ତାପମାତ୍ରା ବଢ଼ାଉଛି । ଏହି ପିଆଜ ଖାଇବା ପରେ ଜ୍ୱର, ବାନ୍ତି ହେଉଛି ଏବଂ ପେଟ ଯନ୍ତ୍ରଣା ହେଉଥିବା ଅଭିଯୋଗ ଆସୁଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ୨୪ଟି ଆମେରିକୀୟ ରାଜ୍ୟ ରେ ୪୦୦ ଜଣ ସଂକ୍ରମିତ ହୋଇସାରିଛନ୍ତି । ଏଥିରୁ ୬୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସାଲମାନେଲା ସଂକ୍ରମଣର ଲକ୍ଷଣ ସାଧାରଣତଃ ଏକ୍ସପୋଜରର 6 ରୁ 72 ଘଣ୍ଟା ପରେ ଆରମ୍ଭ ହୁଏ ବୋଲି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।