ୱାଶିଂଟନ : ଆମେରିକାରେ ଅଣାୟତ ହେବାରେ ଲାଗିଛି କୋରୋନା ସଂକ୍ରମଣର ମାମଲା । ଯାହାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନକୁ କଡା ସମାଲୋଚନା କରିଛନ୍ତି ଫେସବୁକ ସିଇଓ ମାର୍କ ଜୁକରବର୍ଗ । ବିକାଶଶୀଳ ଦେଶ ତୁଳନାରେ ଆମେରିକା କୋରୋନା ପରିଚାଳନାରେ ବିଫଳ ହୋଇଛି ବୋଲି ସେ କହିଛନ୍ତି ।
କୋରୋନା ମୁକାବିଲାରେ ବିଫଳତାକୁ ନେଇ ଟ୍ରମ୍ପ ପ୍ରଶାସନକୁ କଡା ନିନ୍ଦା କରି ଜୁକରବର୍ଗ କହିଛନ୍ତି, ବିଶ୍ବର ଅନ୍ୟ ବିକଶିତ ଦେଶ କୋରୋନା ସଂକ୍ରମଣ ରୋକିବାରେ ସଫଳ ହେଉଛନ୍ତି । ସେମାନେ ନିଜ ଦେଶର ସଂକ୍ରମଣ ସଂଖ୍ୟାରେ ନିୟନ୍ତ୍ରଣ ଲଗାଉଛନ୍ତି । କିନ୍ତୁ ଆମେରିକା ଏଥିରେ ବିଫଳ ହୋଇଛି । ଆମେରିକାରେ ପ୍ରତିଦିନ କୋରୋନା ସଂକ୍ରମଣର ନୂଆ ରେକର୍ଡ ସାମ୍ନାକୁ ଆସୁଛି ବୋଲି ସେ କହିଛନ୍ତି ।
ଆମେରିକାର କୋରୋନା ସଂକ୍ରମଣ ରୋକିବାର ପଦକ୍ଷେପ ଅନ୍ୟ ଦେଶ ତୁଳନାରେ ଯଥେଷ୍ଟ ଖରାପ ବୋଲି ଏଥିରୁ ସ୍ପଷ୍ଟ ହେଉଛି । ଏହାକୁ ପରିଚାଳନା କରିବାରେ ଟ୍ରମ୍ପ ପ୍ରଶାସନ ବହୁତ କମ୍ ପ୍ରଭାବଶାଳୀ ହୋଇପାରିଛନ୍ତି ବୋଲି ଜୁକରବର୍ଗ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଦେଶରେ ଏପର୍ଯ୍ୟନ୍ତ ଅଧିକାଂଶ ଲୋକଙ୍କର କୋରୋନା ପରୀକ୍ଷଣ ହୋଇପାରିନାହିଁ । ଏହା ଅତ୍ୟନ୍ତ ନିରାଶଜନକ ।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନରୁ ଆମେରିକାରେ ଦୈନିକ 50,000ରୁ ଅଧିକ କୋରୋନା ସଂକ୍ରମଣ ନୂତନ ମାମଲା ଆସୁଛି । ଆମେରିକାରେ ଏପର୍ଯ୍ୟନ୍ତ ସର୍ବାଧିକ 3.5 ମିଲିୟନ ଲୋକ କୋରୋନାରେ ସମଂକ୍ରମିତ ହୋଇଥିବା ବେଳେ 138,000 ଲୋକଙ୍କର ମୃତ୍ୟୁ ଘଟିଛି ।