ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କାହାର ବିଜୟ ହେବ ଏନେଇ ଜାରି ରହିଛି ସସପେନ୍ସ । ତେବେ ଏହାରି ମଧ୍ୟରେ ଜର୍ଜିଆରେ ବଡ ଓଲଟପାଲଟ ନେଇ ସାମ୍ନାକୁ ଆସୁଛି ଖବର । ବର୍ତ୍ତମାନ ସୁଦ୍ଧା ଏଠାରୁ ଡୋନାଲ୍ଡ ଟ୍ରମ୍ପ ଆଗରେ ଚାଲିଆସୁଥିବା ବେଳେ ଏବେ ଜୋ ବିଡେନ ଟ୍ରମ୍ପଙ୍କୁ ପଛରେ ପକାଇ ଲିଡରେ ଅଛନ୍ତି ।
ଜର୍ଜିଆରେ ଜୋ ବିଡେନ ପାଖାପାଖି 1 ହଜାର ଭୋଟରେ ଆଗରେ ଅଛନ୍ତି । ଏଠାରେ 99 ପ୍ରତିଶତ ଭୋଟ ଗଣତି ହୋଇସାରିଛି । ଯଦି ବିଡେନ ଏଠାରୁ ବିଜୟ ହାସଲ କରୁଛନ୍ତି, ତାହେଲେ ତାଙ୍କୁ 16 ଇଲେକ୍ଟୋରାଲ ଭୋଟ ମିଳିବ ।
ଜୋ ବିଡେନ-2,449,371 (49.39%)
ଡୋନାଲ୍ଡ ଟ୍ରମ୍ପ- 2,448,454 (49.37%)
16 ଇଲେକ୍ଟୋରାଲ ଭୋଟ ବିଶିଷ୍ଟ ଜର୍ଜିଆରେ ବିଡେନ ଐତିହାସିକ ଲିଡ ହାସଲ କରିଛନ୍ତି। ଯଦି ବିଡେନ ଏହି ଲିଡ ବଜାୟ ରଖନ୍ତି, ତେବେ ସେ ଏଠାରେ ନିର୍ବାଚନରେ ଜିତିବେ। ଅଧିକାଂଶ ପ୍ରମୁଖ ଟେଲିଭିଜନ ନେଟୱାର୍କ ଅନୁଯାୟୀ, ଅନେକ ରାଜ୍ୟରେ ଟ୍ରମ୍ପଙ୍କ 213 ଭୋଟ ତୁଳନାରେ 264 ଭୋଟରେ ବିଡେନ ଆଗରେ ଅଛନ୍ତି। ଏହା ସହିତ ସେ କ୍ରମାଗତ ଭାବରେ ମେଜିକ ମାର୍କ ଆଡକୁ ଆଗେଇ ଚାଲିଥିବା ଦେଖିବାକୁ ଜଣାପଡିଛି ।
ଅନ୍ୟପକ୍ଷେ ନେଭାଦାରେ ବର୍ତ୍ତମାନ କୌଣସି ବି ଆକଳନ ଭୁଲ ସାବ୍ୟସ୍ତ ହୋଇପାରେ, କାରଣ ଏଠାରେ ଭୋଟ ଗଣନା ଆଗାମୀ ଅନେକ ଦିନ ପର୍ଯ୍ୟନ୍ତ ଜାରି ରହିବ । ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବିଡେନଙ୍କ ମଧ୍ୟରେ କଡ଼ା ଟକ୍କର ଜାରି ରହିଛି। ଏଠାରେ ବିଡେନ 1 ପ୍ରତିଶତରୁ କମ ଭୋଟରେ ଟ୍ରମ୍ପଙ୍କ ଠାରୁ ଆଗରେ ଅଛନ୍ତି। ଏପର୍ଯ୍ୟନ୍ତ ଏଠାରେ 1.2 ମିଲିୟନରୁ ଅଧିକ ଭୋଟ ଗଣନା ସରିଛି ।