ୱାଶିଂଟନ: କୋରୋନା ଭାଇରସର ଭ୍ୟାକିସନକୁ ନେଇ ଏକ ଖୁସି ଖବର । ଦିନେ ଯେଉଁ ଔଷଧ ଇବୋଲାକୁ ମୂଳୋପଛ କରିଥିଲା, ତାହା ଏବେ କୋରୋନା ସହ ମୁକାବିଲା କରୁଛି। ଗିଲେଡ ସାଇନ୍ସ ଇନକର୍ସ ଦ୍ବାରା ପ୍ରସ୍ତୁତ ହୋଇଥିବା ରିମଡେସିଭର ଔଷଧ ଦ୍ବାରା ଏବେ ସୁସ୍ଥ ହେଉଛନ୍ତି କୋଭିଡ ରୋଗୀ । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଅତ୍ୟନ୍ତ ଗୁରୁତର ନଥିବା କୋରୋନା ରୋଗୀ ଏହି ଔଷଧ ଦ୍ବାରା ଉପକୃତ ହେଉଥିବା ଜଣାପଡିଛି ।
ଔଷଧକୁ ପରୀକ୍ଷାମୂଳକ ଭାବେ 600 ରୋଗୀଙ୍କ ଠାରେ ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ କିଛି ଲୋକଙ୍କୁ 5ଦିନ ଔଷଧ ଦେଇ ରଖାଯାଇଥିଲା । ଅନ୍ୟ କେତେକ 10 ଦିନ । ଏହା ସହିତ ସେହି ରୋଗୀଙ୍କୁ ମଧ୍ୟ ରଖାଯାଇଥିଲା ଯେଉଁମାନଙ୍କୁ ଷ୍ଟାଣ୍ଡାର୍ଡ ମେଡିକାଲ ପ୍ରଣାଳୀରେ ଚିକିତ୍ସା କରାଯାଇଥିଲା ।
11 ଦିନରେ ଦେଖାଗଲା ଯେ, ପାଞ୍ଚ ଦିନର ଚିକିତ୍ସା ଥିବା ରୋଗୀମାନେ ସାଧାରଣ ଉପାୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଅପେକ୍ଷା ଶୀଘ୍ର ସୁସ୍ଥ ହୋଇଗଲେ। ଆହୁରି ମଧ୍ୟ, ଯେଉଁ ରୋଗୀମାନଙ୍କୁ 10 ଦିନର ଔଷଧ ଦିଆଯାଇଥିଲା, ସେମାନଙ୍କ କ୍ଷେତ୍ରରେ ଅଧିକ ଉନ୍ନତି ଦେଖାଦେଇଛି ।
ଗୋଟିଏ ମାସ ପୂର୍ବରୁ ଆମେରିକାର ବୈଜ୍ଞାନିକମାନେ କହିଥିଲେ, ଏହି ଔଷଧର ସଫଳତା ସହ କୋରୋନାକୁ ହରାଇବାକୁ ଆମେ ନୂଆ ଆଶା ପାଇଛୁ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରମର୍ଶଦାତା ଡକ୍ଟର ଆନ୍ଥୋନୀ ଫୋସି ମଧ୍ୟ ଏହି ଔଷଧକୁ ପ୍ରଶଂସା କରିଥିଲେ ।
ଏହି ଔଷଧ ଯୋଗୁଁ 31 ପ୍ରତିଶତ କୋରୋନା ରୋଗୀ ଶୀଘ୍ର ସୁସ୍ଥ ହେଉଛନ୍ତି। ଡକ୍ଟର ଆନ୍ଥୋନୀ ଫୋସି କହିଛନ୍ତି ଯେ ଏହା ପ୍ରକୃତରେ ଯାଦୁକାରୀ ଔଷଧ। ଆମେରିକା ଏପ୍ରିଲ ମାସରେ ଏହି ଔଷଧର କ୍ଲିନିକାଲ ପରୀକ୍ଷା ଆରମ୍ଭ କରିଥିଲା। ଯାହାର ଫଳାଫଳ ବର୍ତ୍ତମାନ ପ୍ରକାଶ ପାଇଛି । ଡକ୍ଟର ଫୋସି କହିଛନ୍ତି ଯେ ପରିସଂଖ୍ୟାନ ଦର୍ଶାଉଛି ଯେ ରୋଗୀଙ୍କ ରେମେଡିସିଭିର ଔଷଧ ପ୍ରଭାବଶାଳୀ ଓ ସକରାତ୍ମକ ପ୍ରଭାବ ରହିଛି ।
ଡକ୍ଟର ଆନ୍ଥୋନୀ ଫୋସି କହିଛନ୍ତି ଆମେରିକା, ୟୁରୋପ ଏବଂ ଏସିଆର 68 ଟି ସ୍ଥାନରେ 1063 ଜଣଙ୍କ ଉପରେ ରେମେଡିସିଭିର ଔଷଧ ପରୀକ୍ଷା କରାଯାଇଥିଲା। ଏହି ଔଷଧ କୋରୋନା ରୋଗୀଙ୍କୁ ଶୀଘ୍ର ଆରୋଗ୍ୟ କରିପାରିବ।