ୱାସିଂଟନ: କୋରୋନା ମହାମାରୀ ମଧ୍ୟରେ ବି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନକୁ ଟାର୍ଗେଟ କରିବା ଜାରି ରଖିଛନ୍ତି। ବୁଧବାର ଡୋନାଲ୍ଡ ଟ୍ରମ୍ପ ବିଶ୍ବରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ପାଇଁ ଚୀନକୁ ଦାୟୀ କରିଥିଲେ । ଆଜି(ଗୁରୁବାର) ପୁଣି ଥରେ ଡୋନାଲ୍ଡ ଟ୍ରମ୍ପଙ୍କ ଟାର୍ଗେଟରେ ଚୀନ । ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଚୀନ ମୋତେ ନିର୍ବାଚନରେ ହରେଇବାକୁ ଚାହୁଁଛି ଓ ମୋର ପ୍ରତିଦ୍ବନ୍ଦୀ ଜୋ ବିଡେନଙ୍କୁ ରାଷ୍ଟ୍ରପତି କରିବାକୁ ଚାହୁଁଛି।
ଟ୍ରମ୍ପ ଟ୍ବିଟ୍ କରି କହିଛନ୍ତି ଯେ ଚୀନ କ୍ରମାଗତ ଭାବରେ ଭୁଲ ତଥ୍ୟ ଦେବା ଆରମ୍ଭ କରିଛି କାରଣ ରାଷ୍ଟ୍ରପତି ନିର୍ବାଚନରେ ଜୋ ବିଡେନ ଜିତିବାକୁ ଚାହୁଁଛନ୍ତି। ଯାହାଫଳରେ ଚୀନ ପୁଣି ଥରେ ଆମେରିକାକୁ ନଷ୍ଟ କରିପାରିବ, ଏହା ଦୀର୍ଘ ଦିନ ଧରି ଚୀନ କରିଆସୁଛି।
ପ୍ରକାଶଥାଉକି, ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଚଳିତ ବର୍ଷ ନଭେମ୍ବରରେ ଅନୁଷ୍ଠିତ ହେବ । ଏହାପୂର୍ବରୁ ମଧ୍ୟ ଚୀନକୁ ଟ୍ରମ୍ପ ଟାର୍ଗେଟ କରିଛନ୍ତି । କୋରୋନା କାରଣରୁ ହେଉଥିବା ମୃତ୍ୟୁ ପାଇଁ ଚୀନକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ସେ ବର୍ତ୍ତମାନ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ କଥାବାର୍ତ୍ତା କରିବେ ନାହିଁ। କେବଳ ଏତିକି ନୁହେଁ ଯଦି ଆବଶ୍ୟକତା ପଡେ ଓ ପରିସ୍ଥିତି ଆହୁରି ଖରାପ ହୁଏ ତେବେ ସେ ଚୀନ୍ ସହ ସମ୍ପର୍କ ମଧ୍ୟ ଭାଙ୍ଗି ପାରିବେ ବୋଲି ଆମେରିକା ରାଷ୍ଟ୍ରପତି ଧମକ ଦେଇଛନ୍ତି।