ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପୋଷା କୁକୁର ବୋ'ର ମୃତ୍ୟୁ । କ୍ୟାନ୍ସର ଛଡାଇନେଇଛି ଓବାମାଙ୍କ ପୋଷା କୁକୁରର ପ୍ରାଣ । ନିଜ ପ୍ରିୟ ପୋଷା କୁକୁରର ମୃତ୍ୟୁକୁ ନେଇ ସୋସିଆଲ ମିଡିଆରେ ଦୁଃଖଭରା ପୋଷ୍ଟ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ।
ବାରାକ ଓବାମା ଲେଖିଛନ୍ତି, ହ୍ବାଇଟ ହାଉସରେ ରହି ସମସ୍ତ ଅସୁବିଧା ସହିଥିଲା ବୋ | ସେ ବହୁତ ଭୁକୁଥିଲା, କିନ୍ତୁ କେବେ କାମୁଡୁନଥିଲା | ସେ ଖରାଦିନେ ସ୍ୱିମିଂପୁଲ୍ରେ ଡେଇଁବାକୁ ଭଲ ପାଉଥିଲା । ସେ ପିଲାମାନଙ୍କ ସହ ଶାନ୍ତ ରହୁଥିବାବେଳେ ତାର କେଶ ବହୁତ ସୁନ୍ଦର ଥିଲା ବୋଲି ଲେଖିଛନ୍ତି ଓବାମା ।
2008ରେ ରାଷ୍ଟ୍ରପତି ପଦରେ ନିର୍ବାଚନୀ ପ୍ରଚାର ସମୟରେ ଓବାମାଙ୍କ ସମର୍ଥକ ତଥା ପୂର୍ବତନ ସିନେଟର ଏଡୱାର୍ଡ ଏମ କେନେଡି ତାଙ୍କୁ ଏହି ପର୍ତ୍ତୁଗୀଜ କୁକୁର ଉପହାର ଦେଇଥିଲେ । ଓବାମା ବୋ'କୁ ତାଙ୍କର ପ୍ରକୃତ ବନ୍ଧୁ ଏବଂ ବିଶ୍ୱସ୍ତ ସାଥୀ ବୋଲି ମାନୁଥିଲେ ।
ଓବାମାଙ୍କ ଏହି ପୋଷ୍ଟରେ ତାଙ୍କ ସମର୍ଥକମାନେ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଓବାମାଙ୍କ ସମର୍ଥକମାନେ ବୋ'ର ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ବୋ’ର ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।